ଦିଲ୍ଲୀ ପ୍ରଦୂଷଣକୁ ନେଇ ମହାଯୁଦ୍ଧ , କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଘେରିଲେ ମନୋଜ ଝା
ଦୀପାବଳି ସରିବା ପରେ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦୂଷଣ । ବିଷାକ୍ତ ଧୂଆଁର ଚାଦର ତଳେ ଘୋଡ଼େଇ ହୋଇଯାଇଛି ଦେଶର ରାଜଧାନୀ । ସକାଳୁ ସକାଳୁ ରାସ୍ତାଘାଟରେ ଛାଇ ଯାଇଛି ଘନ କୁହୁଡ଼ି ଓ ଧୂଆଁ । ଫଳରେ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଛି । ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୩୬୬ ରେକର୍ଡ ହୋଇଛି । ଯାହାକି ଅତି ଖରାପ ବର୍ଗରେ ରହିଛି । ତେବେ ଚିନ୍ତାର ବିଷୟ ହେଉଛି, ଦିଲ୍ଲୀର ୧୫ଟି ପ୍ରଦୂଷଣ ମାପ କେନ୍ଦ୍ରରେ AQI ୪୦୦ ଅତିକ୍ରମ କରିଛି ।
ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ସୋନିଆ ବିହାରର AQI ୪୪୯ ରହିଥିବା ବେଳେ ବୁରାରି କ୍ରସିଂରେ ୪୪୫ ଏବଂ ବିବେକ ବିହାରରେ ୪୪୧ ରେକର୍ଡ ହୋଇଛି । ସେହିପରି ଜାହାଙ୍ଗିରପୁରୀରେ ୪୩୯, ରୋହିଣୀରେ ୪୩୫ ଏବଂ DTU ଅଞ୍ଚଳରେ ୪୩୧ ରହିଛି AQI । ଅନ୍ୟପଟେ ବାୟୁ ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ି ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି । ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ଦିଲ୍ଲୀର ଅନେକ ଜିଲ୍ଲାରେ ଘନରୁ ଅତି ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି । ଦକ୍ଷିଣ-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଏବଂ ଶାହଦରା ସମେତ ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଦିଲ୍ଲୀରେ ମଧ୍ୟ ଦୃଶ୍ୟମାନ କ୍ଷମତା କମିବା ଆଶଙ୍କା ରହିଛି । ତେଣୁ ସକାଳ ସମୟରେ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଏପଟେ ପ୍ରଦୂଷଣକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । RJD ସାଂସଦ ମନୋଜ ଝା କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି । ବର୍ଷସାରା ପ୍ରଦୂଷଣ ରୋକିବା ପାଇଁ କି ପ୍ରସ୍ତୁତି କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଇ ହେବନାହିଁ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଉତ୍ତରଦାୟୀ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ବର୍ଷା ହେଲେ ପ୍ରଦୂଷଣ ପ୍ରସଙ୍ଗକୁ ସମସ୍ତେ ଭୁଲିଯିବେ, କିନ୍ତୁ ଆସନ୍ତା ଅକ୍ଟୋବର-ନଭେମ୍ବରରେ ପୁଣି ସମାନ ସ୍ଥିତି ଉପୁଜିବ । ପ୍ରତିବର୍ଷ ନଡ଼ା ଜଳାକୁ ଦୋଷ ଦେଇ ଖସିଯିବା ପରିବର୍ତ୍ତେ ବର୍ଷସାରା ଏକ ଠୋସ୍ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି ସେ ମତ ରଖିଛନ୍ତି ।
ସେପଟେ ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ରା ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଦୂଷଣ ଆଳରେ ଦୀପାବଳି ଓ ସନାତନ ଧର୍ମକୁ ଟାର୍ଗେଟ କରିବା ପାଇଁ ଏକ ଅଭିଯାନ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ-NCRରେ GRAPର ତୃତୀୟ ପର୍ଯ୍ୟାୟ କଟକଣା ଏବେ ବି ଲାଗୁ ରହିଛି । ତଥାପି ପ୍ରଦୂଷଣର ଏଭଳି ଭୟଙ୍କର ସ୍ଥିତି ରାଜଧାନୀବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି ।
