ଧାନ ବିଲକୁ ଯାଇ ଆଉ ଫେରିଲେନି ଘରକୁ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ
କାମାକ୍ଷାନଗର : ସକାଳୁ ଧାନ ବିଲକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେନି। ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଲେ ମହାବୀରୋଡ ରେଞ୍ଜ ଅଧୀନ କେନ୍ଦୁପସୀ ଗାଁର ବୁଲା ମହାରଣା । ସକାଳୁ ନିଜ ଧାନ ଚାଷ ଜମିକୁ ଯାଇଥିବା ବେଳେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀଟି ଶୁଣ୍ଢରେ ବୁଲାଙ୍କୁ ଫିଙ୍ଗି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ବୁଲା ମହାରଣାଙ୍କୁ ମୃତ ଘୋଷଣା କରିଥିଲେ । ମହାବୀରୋଡ ରେଞ୍ଜର କେନ୍ଦୁପସୀ ଗାଁରେ ଏଭଳି ହାତୀ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣା ପରେ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।
