ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସଂପାଦକ ଭାବେ ନିର୍ବାଚିତ ହେଲେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ

ଭୁବନେଶ୍ୱର, ନଭେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍ (ଆଇଡିଏ), ଓଡ଼ିଶା ଶାଖାର ସମ୍ମାନଜନକ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନଭେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ଠାରେ ଆୟୋଜିତ ୪୨ତମ ଓଡ଼ିଶା ବାର୍ଷିକ ରାଜ୍ୟ ଦନ୍ତ ଚିକିତ୍ସା ସମ୍ମିଳନୀରେ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା । ତିନିଦିନିଆ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦନ୍ତ ଚିକିତ୍ସକ, ଶିକ୍ଷାବିତ୍‌, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ ଦନ୍ତ ଚିକିତ୍ସା କ୍ଷେତ୍ରରେ ନୂତନ ଗବେଷଣା, ବୈଜ୍ଞାନିକ ଆଲୋଚନା ଓ ଶୈକ୍ଷିକ ଆଦାନପ୍ରଦାନ କରିଥିଲେ ।
ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍ ଦେଶର ଦନ୍ତ ଚିକିତ୍ସକମାନଙ୍କର ଏକ ପ୍ରମୁଖ ବୃତିଗତ ଅନୁଷ୍ଠାନ । ଏହାର ଓଡ଼ିଶା ଶାଖା ଦନ୍ତ ଚିକିତ୍ସା କ୍ଷେତ୍ରରେ ବୃତିଗତ ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ସମ୍ମିଳନୀ, ନିରନ୍ତର ଦନ୍ତ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଜନସାଧାରଣଙ୍କ ମଧ୍ୟରେ ମୁଖ ଓ ଦନ୍ତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରିଆସୁଛି । ସମ୍ମାନଜନକ ସାଧାରଣ ସଂପାଦକ ଦାୟିତ୍ୱରେ ରହି ଡାକ୍ତର ଦଳାଇ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ଏବଂ ଭବିଷ୍ୟତର କାର୍ଯ୍ୟଧାରା ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ରାଜ୍ୟର ଦନ୍ତ ଚିକିତ୍ସକମାନଙ୍କ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ ବୃଦ୍ଧି, ଶୈକ୍ଷିକ ଏବଂ ଗବେଷଣାତ୍ମକ ସହଯୋଗକୁ ପ୍ରୋତ୍ସାହନ, ନିରନ୍ତର ଦନ୍ତ ଶିକ୍ଷାର ପ୍ରସାର ଏବଂ ଯୁବ ଦନ୍ତ ଚିକିତ୍ସକମାନଙ୍କୁ ସଂଗଠନର କାର୍ଯ୍ୟଧାରାରେ ଅଧିକ ସକ୍ରିୟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ।
ସୂଚନା ଯୋଗ୍ୟ ଯେ ସୋଆ ପରିଚାଳିତ ଆଇଡିଏସ୍ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ ୨୦୨୫ ଅନୁଯାୟୀ ଦେଶର ୯ମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ ସ୍ଥାନିତ ହୋଇଛି । ଦାୟିତ୍ୱ ଗ୍ରହଣ କରିବା ପରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଦନ୍ତ ଚିକିତ୍ସାର ଭୂମିକାକୁ ଅଧିକ ସୁଦୃଢ଼ କରିବା, ବୈଜ୍ଞାନିକ ତଥ୍ୟ ଆଧାରିତ ଦନ୍ତ ଚିକିତ୍ସା ପଦ୍ଧତି, ପ୍ରତିଷେଧକ ମୁଖ ସ୍ୱାସ୍ଥ୍ୟ ସେବା ଏବଂ ଅବହେଳିତ ଓ ଅନୁନ୍ନତ ବର୍ଗଙ୍କ ନିକଟରେ ଦନ୍ତ ସ୍ୱାସ୍ଥ୍ୟ ସେବା ପହଂଚାଇବା ଦିଗରେ ପଦକ୍ଷେପ ନେବାକୁ ଡାକ୍ତର ଦଳାଇ ଲକ୍ଷ୍ୟ ରଖିଛନ୍ତି ।
ଡାକ୍ତର ଦଳାଇଙ୍କ ଏହି ଦାୟିତ୍ୱ ଗ୍ରହଣ କରିବା ଆଇଡିଏସ୍ ତଥା ସୋଆ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ପ୍ରସଙ୍ଗ । ଏହା ଶୈକ୍ଷିକ ଉତ୍କର୍ଷତା, ବୃତିଗତ ନେତୃତ୍ୱ ଏବଂ ଦନ୍ତ ଚିକିତ୍ସା କ୍ଷେତ୍ରର ବିକାଶରେ ସୋଆର ନିରନ୍ତର ଅବଦାନକୁ ପ୍ରତିଫଳିତ କରୁଛି ।

Spread the love

Leave a Reply

Your email address will not be published. Required fields are marked *