ନକଲି ଆରଟିଓ ଗିରଫ, ପ୍ରିଣ୍ଟର, ସରକାରୀ ଷ୍ଟାମ୍ପ ପେପର ସମେତ ବିଭିନ୍ନ ସାମଗ୍ରୀ ଜବତ
ଜଳେଶ୍ବର : ନିଜକୁ ଆରଟିଓ ଅଧିକାରୀ ପରିଚୟ ଦେଇ ଦୀର୍ଘ ଦିନ ଧରି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ତା ନିକଟରୁ ବହୁ ନକଲି ଆରଟିଓ ରସିଦ, ନକଲି ନୋଟାରୀ ସିଲ୍ ଓ ନକଲି ପଶ୍ଚିମବଙ୍ଗ ସରକାରୀ ଷ୍ଟାମ୍ପ ପେପର ସମେତ ବିଭିନ୍ନ ସାମଗ୍ରୀ ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ଅଭିଯୁକ୍ତ ନିଜକୁ ଆରଟିଓ ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ରହିଛି । ବିଶେଷକରି ଗାଡ଼ି ସମ୍ପର୍କିତ ଜରିମାନା, ରସିଦ ଓ ବିଭିନ୍ନ କାଗଜପତ୍ର କରାଇ ଦେବା ନାଁରେ ଲୋକଙ୍କୁ ଠକେଇ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।
ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, କମ୍ପ୍ଯୁଟର , ମୋବାଇଲ୍ ଫୋନ୍ ଇତ୍ଯାଦି ଜବତ କରିଛି ପୋଲିସ । ଏହି ସମସ୍ତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତ ଜଣକ କେତେ ଦିନ ଧରି ଏଭଳି କାରବାର କରୁଥିଲା, ତାଙ୍କ ସହ ଆଉ କେହି ଜଡିତ ଅଛନ୍ତି କି ନାହିଁ ଏବଂ ଏହି ନକଲି କାଗଜପତ୍ର କେଉଁଠାରେ ତିଆରି ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ନେଟୱର୍କ ଓ ଠକେଇର ପରିମାଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ପୋଲିସ କହିଛି ।
