ପୁଣି ହର୍ମୁଜରେ ମିସାଇଲ ଆକ୍ରମଣ, ୫ ଭାରତୀୟ ନାଗରିକ ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର ଦିନ କହିଛି ଯେ ସେମାନେ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ କରିଥିଲେ ଯାହା ଫଳରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟରେ ନିରନ୍ତର ସମର୍ଥନ ଏବଂ ସହାୟତା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ପ୍ରତି କୃତଜ୍ଞତା ମଧ୍ୟ ପ୍ରକାଶ କରିଛି ।
ଏହାରି ମଧ୍ୟରେ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ଟ୍ୟାଙ୍କର୍ MT କାଜିମାହ III ହର୍ମୁଜ୍ ପ୍ରଣାଳୀରେ ଏକ ପ୍ରକ୍ଷେପଣ ଦ୍ୱାରା ଆଘାତ ପାଇଥିଲା । ଟ୍ୟାଙ୍କର୍ ରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତ ପାରସ୍ୟ ଉପସାଗର ଏବଂ ଆଖପାଖ ସମୁଦ୍ର ଅଞ୍ଚଳରେ ବାଣିଜ୍ୟିକ ଜାହାଜରେ କାମ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ନିରନ୍ତର ନଜର ରଖିଛି ।
ସୂଚନାନୁଯାୟୀ, ଜାହାଜଟି ଲୋମେ ଅଭିମୁଖେ ଯାତ୍ରା କରୁଥିବା ବେଳେ ହର୍ମୁଜ୍ ଷ୍ଟ୍ରେଟ୍ ଅଞ୍ଚଳରେ ଏକ ପ୍ରୋଜେକ୍ଟାଇଲ୍ ଦ୍ୱାରା ଆଘାତ ପାଇଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସକ୍ରିୟ ହୋଇ ୫ ଭାରତୀୟ ନାବିକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ହର୍ମୁଜ୍ ଷ୍ଟ୍ରେଟ୍ ହେଉଛି ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ଏଠାରେ ବଢ଼ୁଥିବା ସାମରିକ ଉତ୍ତେଜନା ଯୋଗୁଁ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଭାରତ ସରକାର ମଧ୍ୟ ଗଲ୍ଫ୍ ଅଞ୍ଚଳ ଓ ହର୍ମୁଜ୍ ଷ୍ଟ୍ରେଟ୍ରେ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି ।
ଭାରତୀୟ ନାବିକଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ନୌସେନା, ଦୂତାବାସ ଓ ଅନ୍ୟ ଦେଶର ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ଚାଲିଛି । ଗତ କିଛି ମାସରେ ଏହି ଅଞ୍ଚଳରେ ଭାରତୀୟ ନାବିକମାନେ ବାରମ୍ବାର ବିପଦର ସମ୍ମୁଖୀନ ହୋଇଛନ୍ତି । ଜୁନ୍ରେ ମଧ୍ୟ ଅନେକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଘଟିଥିଲା ଏବଂ ଭାରତୀୟ ନାବିକମାନଙ୍କୁ ଉଦ୍ଧାର କରାଯାଇଥିଲା । ନୂଆ ଘଟଣାରେ ୫ ଭାରତୀୟ ନାବିକ ସୁରକ୍ଷିତ ଥିବା ଖବର ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତି ଆଣିଛି । ତେବେ ହର୍ମୁଜ୍ ଅଞ୍ଚଳରେ ଜାହାଜ ଚଳାଚଳର ସୁରକ୍ଷା ନେଇ ଚିନ୍ତା ଏବେ ମଧ୍ୟ ଜାରି ରହିଛି ।
