ପେଟ୍ରୋଲ ପମ୍ପରେ ମହିଳା କର୍ମଚାରୀଙ୍କୁ ଅସଦାଚାରଣ, ଅଭିଯୋଗରେ ୪ ଗିରଫ
ବାଙ୍ଗିରିପୋଷି : ମହିଳା କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗରେ ୪ ଗିରଫ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କଳାବାଡ଼ିଆରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ସାଇ କୃପା ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ ସହ ତାଙ୍କୁ ଆକ୍ରମଣ କରାଯାଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ଯୁବକ ଓ ତାଙ୍କ ସାଥି ଜଗନ୍ନାଥ ଖୁଣ୍ଟା ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିବା ବେଳେ ସାଧାରଣ କଥାକୁ ନେଇ ମହିଳା କର୍ମଚାରୀଙ୍କ ସହ ବଚସା ହୋଇଥିଲା । କ୍ରମଶଃ ଅଭିଯୁକ୍ତ ଯୁବକମାନେ ମହିଳା କର୍ମଚାରୀଙ୍କୁ ଧକ୍କା ମାରିବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଘଟଣା ନେଇ ପେଟ୍ରାଲ ପମ୍ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତି ଅଧିକ ଜଟିଳ ହେବାରୁ ମହିଳା କର୍ମଚାରୀ ଜଣକ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରି ୪ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସେପଟେ ପେଟ୍ରୋଲ ପମ୍ପ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
