ଫୁଟବଲ୍ ମ୍ୟାଚ୍ ବେଳେ ଅଘଟଣ, ୩୭ ବର୍ଷୀୟ ଖେଳାଳିଙ୍କ ପରଲୋକ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ବୋକାରୋ ଥର୍ମାଲ୍ ଅଞ୍ଚଳରୁ ଫୁଟବଲ୍ ମ୍ୟାଚ୍‌ ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାକାର ନୂଆ ବସ୍ତି ମଇଦାନରେ ଚାଲିଥିବା ଡେ-ନାଇଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସମୟରେ ୩୭ ବର୍ଷୀୟ ଖେଳାଳି କଜରା ମୁର୍ମୁଙ୍କ ମୃତ୍ୟୁ ହୋଇଛି । ମ୍ୟାଚ୍‌ ସମୟରେ ଅନ୍ୟ ଜଣେ ଖେଳାଳିଙ୍କ ସହ ଧକ୍କା ହେବା ପରେ ସେ ହଠାତ୍ ମଇଦାନରେ ପଡ଼ି ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ବୋକାରୋ ଥର୍ମାଲ୍ ଥାନା ଅଞ୍ଚଳର ନୂଆ ବସ୍ତିରେ ବଜରଙ୍ଗ କ୍ଲବ୍ ପକ୍ଷରୁ ତିନିଦିନିଆ ଡେ-ନାଇଟ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଗୋମିଆର ଖମ୍ଭରା ବସ୍ତି ନିବାସୀ କଜରା ମୁର୍ମୁ ମଧ୍ୟ ଭାଗ ନେଇଥିଲେ । ମ୍ୟାଚ୍‌ ସମୟରେ ତାଙ୍କର ଅନ୍ୟ ଜଣେ ଖେଳାଳିଙ୍କ ସହ ଧକ୍କା ହୋଇଥିଲା । ଧକ୍କା ଲାଗିବା ମାତ୍ରେ କଜରା ମୁର୍ମୁ ମଇଦାନରେ ପଡ଼ି ଅଚେତ ହୋଇଯାଇଥିଲେ ।

କଜରା ମଇଦାନରେ ପଡ଼ିଯିବା ପରେ ସେଠାରେ ଉପସ୍ଥିତ ଆୟୋଜକ ଓ ଖେଳାଳିଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ତାଙ୍କୁ ତୁରନ୍ତ ଡିଭିସି ହସ୍ପିଟାଲ୍‌କୁ ନିଆଯାଇଥିଲା । ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ, କିନ୍ତୁ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ଖବର ଅଞ୍ଚଳରେ ପ୍ରଚାର ହେବା ପରେ ବହୁ ସଂଖ୍ୟକ ପରିବାର ସଦସ୍ୟ ଓ ଗ୍ରାମବାସୀ ହସ୍ପିଟାଲରେ ପହଞ୍ଚିଥିଲେ। କଜରା ମୁର୍ମୁଙ୍କ ମୃତ୍ୟୁରେ ଉତ୍ତ୍ୟକ୍ତ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ହସ୍ପିଟାଲରେ ହଙ୍ଗାମା କରିଥିଲେ ।

ହଠାତ୍ ଘଟିଥିବା ଏହି ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିବେଶ ଭାରି ହୋଇପଡ଼ିଛି । ଅନ୍ୟପଟେ, ଫୁଟବଲ୍ ପ୍ରତିଯୋଗିତାରେ ସାମିଲ ଖେଳାଳି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଶୋକର ବାତାବରଣ ରହିଛି । ଅନ୍ୟପଟେ ମ୍ୟାଚ୍‌ ସମୟରେ ଘଟିଥିବା ଏହି ଘଟଣା ଖେଳର ଉତ୍ସାହକୁ ଶୋକରେ ପରିଣତ କରିଦେଇଛି ।  କଜରା ମୁର୍ମୁଙ୍କ ମୃତ୍ୟୁରେ ତାଙ୍କ ପରିବାର ସହ ସମଗ୍ର ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *