ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୁତ ହୋଇ ସୃଷ୍ଟି ହେଲା ଗଭୀରଅବପାତ । ଆଜି ବାତ୍ୟା ସମ୍ଭାବନା, ଆସନ୍ତାକାଲି ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା ହୋଇପାରେ । ପରବର୍ତୀ ଦୁଇଦିନରେ ଆହୁରି ଘନୀଭୂତ ହୋଇ ଆନ୍ଧ୍ରଉପକୂଳ ମୁହାଁ ସମ୍ଭାବନା । ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆଜି ବାତ୍ୟା, ଆସନ୍ତାକାଲି ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ବିଶେଷକରି ଗଞ୍ଜାମ ଓ ଗଜପତି ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଅଧିକ ଘନୀଭୂତ ହେଉଛି । ଏହା ୧୬ରୁ ୧୭ ତାରିଖ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାରେ ।
ପରବର୍ତ୍ତୀ ସମୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଆସନ୍ତାକାଲି ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଏହି ପବନ ବେଗ ଓଡ଼ିଶା ଉପକୂଳ ପାଇଁ ପୂର୍ବାନୁମାନ ନୁହେଁ। ବାତ୍ୟାର ଗତିପଥ ଓ ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସ୍ଥାନ ସମ୍ପର୍କରେ ଏବେ ବି ଅନିଶ୍ଚିତତା ରହିଛି । ଏପଟେ ବାତ୍ୟା ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ବିଶେଷ ନଜର ରହିଛି । ନିକଟରେ ଲଗାଣ ବର୍ଷା ଓ ବନ୍ୟାରେ ଗଞ୍ଜାମ ଓ ଗଜପତିର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା । ଆସିକା, ସୋରଡ଼ା, ଭଞ୍ଜନଗର ସମେତ ଗଞ୍ଜାମର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଗଜପତିର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
ଏବେ ପୁଣି ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ନଦୀର ଜଳସ୍ତର ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ରହିଛି। ସମ୍ଭାବ୍ୟ ବର୍ଷା, ବନ୍ୟା ଓ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିପାରେ। ଉପକୂଳରେ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ସେହିପରି ବର୍ଷା ପୂର୍ବରୁ ପାଚିଲା ଧାନ ଅମଳ କରି ନିରାପଦ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ଲଗାଣ ବର୍ଷା ହେଲେ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସବୁଠାରୁ ବଡ଼ କଥା ହେଉଛି, ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ନଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ଆଗାମୀ ଦୁଇରୁ ତିନି ଦିନ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରହିବ । ଆଇଏମ୍ ଡିର ପରବର୍ତ୍ତୀ ବୁଲେଟିନ୍ ରୁ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।
