ବିଦ୍ୟାଳୟ ପରିସରରେ ବ୍ୟାପକ ଗଛକଟାକୁ ନେଇ ଉତ୍ତେଜନା, ତାତିଲେ ଗ୍ରାମବାସୀ
ଉଦଳା: ବିଦ୍ୟାଳୟ ପରିସରରେ ବ୍ୟାପକ ଗଛକଟାକୁ ନେଇ ଉତ୍ତେଜନା । ଉଦଳା ଥାନା ରାଢୋ କେଜିବିଭି ବିଦ୍ୟାଳୟରେ ଅଚାନକ ଭାବେ ବ୍ୟାପକ ପରିମାଣର ଗଛ କାଟି ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବିନା ଅନୁମତି ନ ନେଇ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଥିବା ୧୫ରୁ ଅଧିକ ପଟାସ, ମୂଲ୍ୟବାନ ଗମ୍ଭାରୀ ଗଛ ସହ ଅନେକ ଗୁଡିଏ ଗଛକୁ କାଟି ଦେଇଛନ୍ତି । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ । ପରିଚାଳନା କମିଟି ଅଜାଣତରେ ଓ ବନ ବିଭାଗର ବିନା ପରମିସନରେ ଏହି ଗଛ କଟାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଦେଖାଯାଇଛି ଉତ୍ତେଜନା । ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଏହି ବେଆଇନ ଗଛ କଟାକୁ ତୀବ୍ର ବିରୋଧ କରିଛନ୍ତି । ଗଛ ଗୁଡିକ କଟାଯିଵା ଫଳରେ ବିଦ୍ୟାଳୟ ଭିତରେ ଥିବା ପାଚେରୀ ଓ ଅନ୍ୟ କାନ୍ଥ ମଧ୍ୟ ଭାଙ୍ଗିଯାଇଛି । ବିନା କୌଣସି ସୂଚନାରେ ପ୍ରଧାନ ଶିକ୍ଷୟିତ୍ରୀ ଏହି ଗଛ କାଟିଥିବା ବେଳେ ତାହାକୁ ବିକ୍ରି କରିବେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ବିଦ୍ୟାଳୟରେ ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଆଣିଥିବା କହିଥିଲେ ସୁଦ୍ଧା କୌଣସି କାଗଜପତ୍ର ଦେଖାଇ ପାରିନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ।
