ବିବାଦରେ ନିଟ୍ ୟୁଜି ପରୀକ୍ଷା,ପୁଣି ପେପର ଲିକ୍ ଅଭିଯୋଗ

ପୁଣି କାଠଗଡ଼ାରେ ନିଟ୍  ।  ବିବାଦରେ ନିଟ୍ ୟୁଜି ପରୀକ୍ଷା । ପୁଣି ପେପର ଲିକ୍ ଅଭିଯୋଗ। ରାଜସ୍ଥାନ SOG ର ତନାଘନା!। ନିଟ୍-ୟୁଜି ପରୀକ୍ଷାକୁ ନେଇ ପୁଣି ସେହି ପୁରୁଣା ବିବାଦର କଳାବାଦଲ। ୨୦୨୪ର ସ୍ମୃତି ଲିଭିନି। ୨୦୨୬ରେ ପୁଣି ଥରେ “ପେପର ଲିକ୍” ଅଭିଯୋଗ ଆଶାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ମେ ୩ ତାରିଖରେ ଦେଶର ପ୍ରାୟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଡାକ୍ତର ହେବାର ସ୍ୱପ୍ନ ନେଇ NEET ପରୀକ୍ଷା ଦେଇଥିଲେ।

କିନ୍ତୁ ପରୀକ୍ଷାର ମାତ୍ର କିଛି ଦିନ ପରେ ଏବେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ରାଜସ୍ଥାନର ସିକର ଭଳି କୋଚିଂ ହବ୍ ରେ ପରୀକ୍ଷା ପୂର୍ବରୁ ଏକ ହାତଲେଖା “Guess Paper” ବୁଲୁଥିଲା। ଏଥିରେ ପ୍ରାୟ ୪୦୦ଟି ପ୍ରଶ୍ନ ଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ମେ ୩ ତାରିଖର ଅସଲି ପ୍ରଶ୍ନପତ୍ର ସହ ଏହି ଗେସ୍ ପେପରର ୧୦୦ରୁ ୧୪୦ଟି ପ୍ରଶ୍ନ ପୂରାପୂରି ମିଶିଯାଉଛି। କେବଳ ପ୍ରଶ୍ନ ନୁହେଁ, ବରଂ କେତେକ ଜାଗାରେ ଉତ୍ତରର ବିକଳ୍ପ ଗୁଡ଼ିକର କ୍ରମ ମଧ୍ୟ ସମାନ ରହିଛି। ରାଜସ୍ଥାନ ପୋଲିସର Special Operations Group (SOG) ଏହି ଘଟଣାର ମୂଳ ଖୋଜୁଛି। ଜୟପୁର, ଡେରାଡୁନ ରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଏହି ତଦନ୍ତର ଜାଲ ବିଛାଯାଇଛି।

ଏହି ଗେସ୍ ପେପରକୁ ୨୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରାଯାଉଥିଲା ବୋଲି ଚର୍ଚ୍ଚା ହେଉଛି। ଏତେ ସିକ୍ୟୁରିଟି, AI କ୍ୟାମେରା, GPS ଟ୍ରାକିଂ ଏବଂ 5G ଜାମର୍ ସତ୍ତ୍ୱେ ଏମିତି କେମିତି ହେଲା ? ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) କହିଛି, ସେମାନେ ମେ ୭ ତାରିଖରେ ଏ ସଂପର୍କରେ ସୂଚନା ପାଇ କେନ୍ଦ୍ରୀୟ ଏଜେନ୍ସିକୁ ଜଣାଇଛନ୍ତି। ତଦନ୍ତ ସରିବା ପୂର୍ବରୁ ରେଜଲ୍ଟ କିମ୍ବା ପରବର୍ତ୍ତୀ ପଦକ୍ଷେପ ଉପରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ।

୨୦୨୪ରେ ଯେଉଁ ଧରଣର ବିବାଦ ହୋଇଥିଲା, ତାହା ଦେଶର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା। ଏବେ ପୁଣି ଥରେ ସମାନ ପରିସ୍ଥିତି ଉପୁଜିଥିବାରୁ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନ୍ୟାୟ ଦାବି କରୁଛନ୍ତି। ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ କ’ଣ ପୁଣି ଥରେ ପରୀକ୍ଷା ହେବ କି ? ଏହା କୋଚିଂ ସେଣ୍ଟରର କୌଣସି ଶିକ୍ଷକଙ୍କ “ଅସାଧାରଣ ଅନୁମାନ” ନା ଏହା ପଛରେ କୌଣସି ବଡ଼ ରାକେଟ୍ ଅଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ଆଶାୟୀମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *