ମୁଢ଼ି ଖାଇବା ପୂର୍ବରୁ ଜାଣନ୍ତୁ, ଶରୀର ଉପରେ କ’ଣ ପଡ଼େ ପ୍ରଭାବ

ମୁଢ଼ି ଖାଇବାକୁ କିଏ ବା ଭଲ ନ ପାଏ! ସକାଳର ଜଳଖିଆ ହେଉ କି ସନ୍ଧ୍ୟାର ଚାହା । ମୁଢ଼ି ସହ ପିଆଜ, ଲଙ୍କା ଓ ସୋରିଷ ତେଲର ମଜା ବହୁତ୍ ନିଆରା । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ମୁଢ଼ିର ଚାହିଦା ରହିଛି । ଶସ୍ତା ହେବା ସହ ଏହା ସହଜରେ ମିଳିଯାଏ । ଏହାକୁ କେହି କ୍ଷୀରରେ ଭିଜାଇ ଖାଇଥାନ୍ତି ତ ଆଉ କେହି ଚା’ ରେ ଭସାଇ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ମୁଢ଼ି ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳେ ଏବଂ ଅଧିକ ଖାଇଲେ କ’ଣ କ୍ଷତି ହୋଇପାରେ? ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ମୁଢ଼ି କେତେ ଉପଯୋଗୀ? ଆସନ୍ତୁ ଜାଣିବା…

ମୁଢ଼ି ଚାଉଳରୁ ପ୍ରସ୍ତୁତ ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ । ଏଥିରେ କାର୍ବୋହାଇଡ୍ରେଟ୍ ରହିଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ । ଅନେକ ଲୋକ ଏହାକୁ ସକାଳ କିମ୍ବା ସନ୍ଧ୍ୟାର ଜଳଖିଆ ଭାବେ ଖାଇଥାନ୍ତି । ତେବେ ମୁଢ଼ିରୁ ଅଧିକ ପୋଷଣ ପାଇବା ପାଇଁ ଏହା ସହିତ ଅନ୍ୟ ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ମିଶାଇ ଖାଇବା ଜରୁରୀ ।

ମୁଢ଼ି ସହିତ ପିଆଜ, ଟମାଟୋ, କାକୁଡ଼ି ଓ ଅନ୍ୟ ପନିପରିବା ମିଶାଇ ଖାଇଲେ ଭିଟାମିନ୍ ମିଳିଥାଏ । ସେହିପରି ଭଜା ଚଣା, ବାଦାମ କିମ୍ବା ସିଝା ମଟର ମିଶାଇଲେ ଖାଦ୍ୟରେ ପ୍ରୋଟିନର ପରିମାଣ ବେସ୍ ବଢ଼ିଥାଏ । ଏହାଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । କିନ୍ତୁ ମୁଢ଼ି ଖାଇବାର କିଛି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ମୁଢ଼ିରେ କାର୍ବୋହାଇଡ୍ରେଟ୍ ଅଧିକ ଥିବାରୁ ଏହା ଖାଇବା ପରେ ରକ୍ତରେ ଶର୍କରା ସ୍ତର ଦ୍ରୁତ ବଢ଼ିପାରେ । ତେଣୁ ମଧୁମେହ ରୋଗୀମାନେ ମୁଢ଼ି ଖାଇବାର ପରିମାଣ ପ୍ରତି ସତର୍କ ରହିବା ଉଚିତ । ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଖାଦ୍ୟ ଯୋଜନା କରିବା ମଧ୍ୟ ଜରୁରୀ ।

ଅନ୍ୟପଟେ, ମୁଢ଼ିରେ ଅଧିକ ତେଲ, ଲୁଣ ଓ ମିକ୍ସଚର ମିଶାଇ ଖାଇଲେ କ୍ୟାଲୋରି ଓ ସୋଡିୟମର ପରିମାଣ ବଢ଼ିପାରେ । ଅଧିକ ସୋଡିୟମ୍ ଗ୍ରହଣ ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ାଇପାରେ । ସେହିପରି କେବଳ ମୁଢ଼ି ଖାଇଲେ ଶରୀରକୁ ଆବଶ୍ୟକ ସମସ୍ତ ପୋଷକତତ୍ତ୍ୱ ମିଳି ନଥାଏ । ତେଣୁ ଡାଲି, ପନିପରିବା, ଫଳ ଓ ପ୍ରୋଟିନଯୁକ୍ତ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ । ତେଣୁ ମୁଢ଼ି ଖାଇବା ସମ୍ପୂର୍ଣ୍ଣ ଖରାପ ନୁହେଁ । କିନ୍ତୁ କେତେ ପରିମାଣରେ ଖାଉଛନ୍ତି ଏବଂ ଏହା ସହିତ କ’ଣ ମିଶାଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ । କମ୍ ଲୁଣ ଓ କମ୍ ତେଲରେ ପ୍ରସ୍ତୁତ ମୁଢ଼ି ସହିତ ପନିପରିବା ଓ ପ୍ରୋଟିନଯୁକ୍ତ ଖାଦ୍ୟ ମିଶାଇ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *