ମୋଦୀଙ୍କୁ ବିରୋଧୀଙ୍କ ତୀବ୍ର ସମାଲୋଚନା
ମୁଦ୍ରାସ୍ଫିତିକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ‘ଏକ୍ସ’ରେ ମୁଦ୍ରାସ୍ଫିତି ଭାରତୀୟ ପରିବାରକୁ ପ୍ରଭାବିତ କରିବାକୁ ଯାଉଛି ବୋଲି କହିଥିଲେ। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ରବିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଉତ କହିଛନ୍ତି, ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିକୁ ପଶ୍ଚିମବଙ୍ଗରେ କ୍ଷମତାରେ ଆଣିବାକୁ ଲାଗି ପଡ଼ିଛନ୍ତି। ରାଉତ କହିଛନ୍ତି, ମୋଦୀ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ କହୁଥିଲେ, ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ଦେଶର ଭାବମୂର୍ତ୍ତି ନଷ୍ଟ ହୁଏ। ଟଙ୍କା ଡଲାର ତୁଳନାରେ ୧୦୦ ପାର୍ କରିବାକୁ ଯାଉଛି। କିନ୍ତୁ ସେ ପଶ୍ଚିମବଙ୍ଗରେ ଅଛନ୍ତି। ମମତା ବାନାର୍ଜୀଙ୍କୁ ପରାଜିତ କରିବାକୁ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା ଚଳାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜିତିବାକୁ ସମସ୍ତ ପ୍ରୟାସ ଚଳାଇଛନ୍ତି। ରାଉତ୍ ମୋଦୀଙ୍କ ଇସ୍ତଫା ଦାବି କରି କହିଥିଲେ, ତାଙ୍କୁ ଏବେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଚାଲି ଯିବାର ସମୟ ଆସିଗଲାଣି। ‘ମୋଦୀ ଜୀ ଅବ୍ ଝୋଲା ଉଠାଓ ଔର୍ ଚଲେ ଯାଓ’ ବୋଲି ରାଉତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସୂଚନାଯୋଗ୍ୟ, ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଶୁକ୍ରବାର ୯୨.୮୯ ଥିବାବେଳେ ଶନିବାର ୯୩ ଟଙ୍କାରେ ପହଞ୍ଚି ଥିଲା।
