ରାସ୍ତାରେ ପୋହା ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ
ମଧ୍ୟପ୍ରଦେଶର ଟିକମଗଡ଼ରେ ମଙ୍ଗଳବାର ସକାଳେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାସ୍ତାକଡ଼ରେ ଛୋଟ ଜଳଖିଆ ଷ୍ଟଲରେ ଛିଡ଼ା ହୋଇ ଲୋକଙ୍କୁ ଗରମ ଗରମ ପୋହା (ଚୁଡ଼ା ସନ୍ତୁଳା) ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡ଼ରେ ଥିବା ବିକ୍ରେତାଙ୍କୁ ନଗରପାଳିକା କର୍ତ୍ତୃପକ୍ଷଙ୍କ ହଟାଇବା ପ୍ରତିବାଦରେ ଏହା ଉମାଙ୍କର ପ୍ରତିବାଦ ଶୈଳୀ ଥିଲା। ୬୬ ବର୍ଷୀୟ ଉମା ଭାରତୀ ସିଭିଲ ଲାଇନ ଅଞ୍ଚଳରେ ଉଠା ଦୋକାନୀଙ୍କ ସମର୍ଥନରେ ପ୍ରତିବାଦ କରିଥିଲେ। ଦିନକ ପୂର୍ବରୁ ପୌରପାଳିକା ଜବରଦଖଲ ଅଭିଯାନର ଅଂଶ ସ୍ୱରୂପ ବିକ୍ରେତାମାନଙ୍କୁ ହଟାଇ ଦେଇଥିଲା ।ଭଙ୍ଗା ଗାଡ଼ି ଏବଂ ବିଛାଡ଼ି ହୋଇ ପଡ଼ିଥିବା ଖାଇବା ପ୍ଲେଟ ପୌରପାଳିକାର ନିର୍ଦୟତାକୁ ବଖାଣୁଥିଲା। ଉମା ପ୍ରତିବାଦ କରିବା ସହିତ ପୌର ପ୍ରଶାସନ ସହିତ କଥାବାର୍ତ୍ତା ପରେ ସେମାନେ ଏହାକୁ ତୁରନ୍ତ ବନ୍ଦ କରିଦେବେ ବୋଲି କହିଥିଲେ। ଉମାଙ୍କ ଚାରିପଟେ ନିଜ ଜୀବନ ଜୀବିକା ଉଚ୍ଛେଦ ପ୍ରତିବାଦରେ ଅନେକ ଦୋକାନୀ ଛିଡ଼ା ହୋଇ ରହିଥିଲେ। ଦୋକାନୀଙ୍କୁ ସେହି ଜାଗାରେ କାମ କରିବାକୁ ଦେବାକୁ ଉମା ଭାରତୀ ଦାବି କରିଥିଲେ। ଉମା ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ରାଜ୍ୟ ବିଜେପି ମୁଖ୍ୟ ହେମନ୍ତ ଖଣ୍ଡେଲୱାଲଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ। ଉମାଙ୍କ ପ୍ରତିବାଦ ଶୈଳୀ ସହରରେ ଯେତିକି ଚର୍ଚ୍ଚାରେ ରହିଥିଲା ସେତିକି ଲୋକ ତାଙ୍କୁ ସମର୍ଥନ କରି ସେଠାରେ ଉପସ୍ଥିତ ମଧ୍ୟ ଥିଲେ।
