ଲ୍ୟାମ୍ପସର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ୍ପସର ୪୦ ଲକ୍ଷ ୯୪ ହଜାର ଟଙ୍କା ହେରଫେର ମାମଲାରେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗିରଫ। ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ହିମାଂଶୁ ଦାସ। ଗିରଫ ପରେ ଆଜି ତାଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ବେତନଟୀ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବାବେଳେ ହିମାଂଶୁ ଦାସ ଚାଷୀମାନଙ୍କଠାରୁ କୃଷି ଓ ଫସଲ ଋଣ ପରିଶୋଧ, ସଦସ୍ୟ ଶେୟାର ପୁଞ୍ଜି, ଆବେଦନ ଫି ଏବଂ ପ୍ରଶାସନିକ ଶୁଳ୍କ ବାବଦରେ ଅର୍ଥ ସଂଗ୍ରହ କରିଥିଲେ।

ସେ ଚାଷୀମାନଙ୍କୁ ରସିଦ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ସଂଗୃହୀତ ଅର୍ଥକୁ ସୋସାଇଟିର ଖାତାରେ ଜମା କରି ନଥିଲେ। ଦୈନିକ ହିସାବ ପୁସ୍ତକରେ କାରବାରର କୌଣସି ଉଲ୍ଲେଖ କରିନଥିଲେ। ସେ ୪୦ ଲକ୍ଷ ୯୪ ହଜାର ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ବାରିପଦା ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରାଯାଇଛି। ହିମାଂଶୁ ଦାସଙ୍କୁ ୨୦୨୨ ଏପ୍ରିଲ ୪ରେ ଚାକିରିରୁ ବରଖାସ୍ତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *