ଶରୀରକୁ ସୁସ୍ଥ ରଖେ ସକାଳର ବ୍ରେକ୍ ଫାଷ୍ଟ, ଜାଣନ୍ତୁ କ’ଣ ଖାଇବା ଉଚିତ୍ ଓ ଅନୁଚିତ୍
ସକାଳର ଜଳଖିଆ ସବୁବେଳେ ଭାବିଚିନ୍ତି ଖାଇବା ଉଚିତ । କାରଣ ସକାଳ ସମୟରେ ଆପଣ ଯାହା ଖାଆନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦିନର ଆରମ୍ଭ ସର୍ବଦା କିଛି ହେଲ୍ଦି ଫୁଡ୍ ସହିତ ହେବା ଉଚିତ । ଅଧିକାଂଶ ଲୋକ ସକାଳେ ଚା’ କିମ୍ବା କଫି ପିଇ ଦିନର ଆରମ୍ଭ କରନ୍ତି । ଯଦି ଏଭଳି ଖାଦ୍ୟ କିମ୍ବା ପାନୀୟରୁ ଦିନର ଆରମ୍ଭ ହୁଏ ତେବେ ଗ୍ୟାସ୍, ଏସିଡିଟି, ପେଟ ଫୁଲିବା, ପେଟ ଜଳାପୋଡା ଭଳି ସମସ୍ୟା ସୃଷ୍ଟି କରିପାରେ । ଆଉ କିଛି ଲୋକ ଭାବନ୍ତି ଯେ ସକାଳେ ଖାଲି ପେଟରେ ଫଳ ଖାଇବା ଭଲ ହୋଇଥାଏ । କିନ୍ତୁ ଡାକ୍ତରଙ୍କ ମତରେ, ସକାଳେ ଖାଲି ପେଟରେ କିଛି ଫଳ ଖାଇବା ଲାଭଦାୟକ ହେବା ପରିବର୍ତ୍ତେ କ୍ଷତିକାରକ ହୋଇପାରେ । ଏହା ପେଟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ କେଉଁ ଖାଦ୍ୟ କିମ୍ବା ପାନୀୟ ସକାଳେ ଖାଲି ପେଟରେ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆସନ୍ତୁ ଜାଣିବା ।
ଚା ଏବଂ ବ୍ଲାକ୍ କଫି : ଚା ଏବଂ କଫି ପିଉଥିବା ଲୋକମାନେ ବିଶେଷ ସତର୍କ ରହିବା ଉଚିତ । ବିଶେଷକରି ସକାଳେ ଖାଲି ପେଟରେ ବ୍ଲାକ୍ କଫି ପିଇବା ଉଚିତ୍ ନୁହେଁ । ଲୋକମାନେ ବ୍ଲାକ୍ କଫି ପିଇବା ପରେ ଜିମ୍ ଯାଆନ୍ତି ଏବଂ କିଛି ଲୋକ ଏନର୍ଜି ପାଇଁ ବ୍ଲାକ୍ କଫି ପିଅନ୍ତି । କିନ୍ତୁ ଖାଲି ପେଟରେ ବ୍ଲାକ୍ କଫି ପିଇବା ଦ୍ୱାରା ଏସିଡ୍ ସମସ୍ୟା ହୋଇପାରେ । ପେଟରେ ଏସିଡ୍ ହଠାତ୍ ବୃଦ୍ଧି ପାଇବା ଦ୍ୱାରା ଜଳାପୋଡ଼ା ମଧ୍ୟ ହୋଇପାରେ । କଫିରେ କ୍ୟାଫିନ୍ ମିଳିଥାଏ । ଯେଉଁଥିପାଇଁ ଶରୀରରେ କର୍ଟିସୋଲ୍ ଅର୍ଥାତ୍ ଷ୍ଟ୍ରେସ ହରମୋନ୍ ବୃଦ୍ଧିପାଏ । ଏହା ଯୋଗୁଁ ଶରୀରର ନ୍ୟାଚୁରାଲ ଏନର୍ଜି କମିଯାଏ ।
ଖଟା ଫଳ : ସକାଳେ ଫଳ ଖାଇବା ଲାଭଦାୟକ କିନ୍ତୁ ସକାଳେ ଖଟା ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯେପରିକି ଖାଲି ପେଟରେ କମଳା କିମ୍ବା ଲେମ୍ବୁ ଖାଇବା ଅନୁଚିତ । ଏସିଡିକ୍ ଫଳ ଖାଇବା ଦ୍ୱାରା ଗ୍ୟାସ୍, ପେଟ ଜଳାପୋଡ଼ା ଏବଂ ଏସିଡିଟି ବଢ଼ିପାରେ । ଯେଉଁମାନେ ଏସିଡିଟି କିମ୍ବା ଗ୍ୟାଷ୍ଟ୍ରିକ୍ ସମସ୍ୟାରେ ଅଛନ୍ତି ସେମାନେ ସକାଳେ ଲେମ୍ବୁ, ଋତୁକାଳୀନ ଫଳ ଏବଂ କମଳା ପରି ଫଳ ଖାଇବାରୁ ଦୂରେଇ ରହିବା ଉଚିତ ।
ଫ୍ରାଏଡ୍ ଫୁଡ୍ : ସକାଳେ ଖାଲି ପେଟରେ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ଫ୍ରାଏଡ୍ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପେଟ ଏବଂ ପାଚନ ତନ୍ତ୍ର ଉପରେ ଅନାବଶ୍ୟକ ପ୍ରେସର ପଡ଼ିଥାଏ, ଯାହା ଫଳରେ ଭାରୀପଣ, ଗ୍ୟାସ ଏବଂ ବଦହଜମୀ ଭଳି ସମସ୍ୟା ହୋଇଥାଏ । ଫ୍ରାଏଡ୍ ଫୁଡରେ ଅଧିକ ଟ୍ରାନ୍ସ ଫ୍ୟାଟ୍ ପରିମାଣ ପେଟ ଫୁଲିବାର କାରଣ ହୋଇପାରେ, ଯାହା ଏସିଡିଟି ବୃଦ୍ଧି କରିପାରେ ଏବଂ ସକାଳେ ଆଳସ୍ୟ ଏବଂ ଥକ୍କାପଣ ସୃଷ୍ଟି କରିପାରେ ।
ସକାଳେ କ’ଣ ଖାଇବା ଉଚିତ:
ସକାଳେ ଉଠିବା ମାତ୍ରେ ଗୋଟିଏ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଏହା ଶରୀରକୁ ଡିଟକ୍ସ କରିଥାଏ ଏବଂ ପାଚନ ଶକ୍ତିକୁ ଉନ୍ନତ କରିଥାଏ । ଯଦି ଆପଣ ଚାହିଁବେ ତେବେ ଆପଣ ଅଳ୍ପ ଲେମ୍ବୁ ଏବଂ ମହୁ ମିଶ୍ରିତ ପାଣି ମଧ୍ୟ ପିଇପାରିବେ । ଏକ ହେଲ୍ଦି ଏବଂ ହାଲୁକା ଜଳଖିଆ ସହିତ ଆପଣଙ୍କ ଦିନର ଆରମ୍ଭ କରନ୍ତୁ । ଜଳଖିଆରେ ଆପଣ ଭିଜା ଡ୍ରାଏ ଫ୍ରୁଟସ, ଓଟ୍ସ କିମ୍ବା କଦଳୀ, ଦହି ଅଣ୍ଡା ମୁଗ ଚିଲା ଖାଇବାରେ ସାମିଲ କରିପାରିବେ ।
ଯଦି ଆପଣ ବାରମ୍ବାର ଗ୍ୟାସ୍, ଏସିଡିଟି, ପେଟ ଯନ୍ତ୍ରଣା, କିମ୍ବା ଛାତି ପୋଡ଼ିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସକାଳର ଖାଇବା ଏବଂ ପିଇବା ଅଭ୍ୟାସ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଏହି ସରଳ ସତର୍କତାଗୁଡ଼ିକ ଆପଣଙ୍କ ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବ ।
