ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି

ପୁରୀ : ମହାପ୍ରଭୁଙ୍କ ଅମୃତ ମଣୋହି ଜମି ପୁଣି ଫେରିବ ଶ୍ରୀଜଗନ୍ନାଥଙ୍କ ଖାତାକୁ ।  ପ୍ରାୟ ଦେଢ଼ ଏକର ମୂଲ୍ୟବାନ ଜମିର ରେକର୍ଡ ସଂଶୋଧନ ହେବ ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ନେଇ ଦୁଇଟି ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ।  ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ନିକଟ ତାଳବଣିଆ ମୌଜାର ପ୍ରାୟ ଦେଢ଼ ଏକର ମୂଲ୍ୟବାନ ଜମିକୁ ପୁଣି ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ରାଜସ୍ୱ ପର୍ଷଦ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ଜମିର ୧୮୮୯ ମସିହା ସାବିକ ରେକର୍ଡରେ ମାଲିକ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜମିର ସ୍ଥିତି ଥିଲା ‘ଅମୃତ ମଣୋହି’ ।  କିନ୍ତୁ ପରବର୍ତ୍ତୀ ସମୟରେ ରେକର୍ଡ ବଦଳିଥିଲା ।

୨୦୦୨ରେ ଜମି ବ୍ୟକ୍ତିଗତ ନାମରେ ରେକର୍ଡ ହେବା ସହ ପରେ ପଞ୍ଜୀକୃତ ବିକ୍ରୟ ଦଲିଲ ଜରିଆରେ ଅନ୍ୟ ବ୍ୟକ୍ତିଙ୍କ ନାମକୁ ହସ୍ତାନ୍ତର ହୋଇଥିବା ମାମଲାରେ ସାମ୍ନାକୁ ଆସିଥିଲା ।  କିସମ ପରିବର୍ତ୍ତନ ଓ ନିଜସ୍ୱ ଅଧିକାର ଦାବିକୁ ନେଇ ମାମଲା ରାଜସ୍ୱ ପର୍ଷଦରେ ପହଞ୍ଚିଥିଲା ।  ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୩୨ ଅନୁଯାୟୀ ରାଜସ୍ୱ ପର୍ଷଦ ରେକର୍ଡ, ବିକ୍ରୟ ଦଲିଲ ଓ ଜମିର ମୂଳ ଉତ୍ସକୁ ଯାଞ୍ଚ କରିଥିଲେ।  ଏଠାରେ ସବୁଠାରୁ ବଡ଼ ଆଇନଗତ ପ୍ରସଙ୍ଗ ଥିଲା ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୧୬(୨)। ମନ୍ଦିରର ଅଚଳ ସମ୍ପତ୍ତି ବିକ୍ରୟ ବା ହସ୍ତାନ୍ତର ପାଇଁ ଆବଶ୍ୟକ ସରକାରୀ ପୂର୍ବ ଅନୁମୋଦନ ଥିବାର ପ୍ରମାଣ ମାମଲାରେ ଉପସ୍ଥାପିତ ହୋଇପାରିନଥିଲା ।

ମୂଳ ହସ୍ତାନ୍ତରର ବୈଧତା ପ୍ରମାଣିତ ନହେଲେ ପରବର୍ତ୍ତୀ ବିକ୍ରୟ ଦଲିଲ ଦ୍ୱାରା ତାହାକୁ ବୈଧ କରାଯାଇପାରିବ ନାହିଁ ବୋଲି ବିଚାର କରାଯାଇଛି ।  ଏହାପରେ ସମ୍ପୃକ୍ତ ଜମିକୁ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ, ମାର୍ଫତ ମନ୍ଦିର ପରିଚାଳନା କମିଟି, ଅମୃତ ମଣୋହି ସ୍ଥିତି’ରେ ରେକର୍ଡ କରିବାକୁ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ପ୍ରାୟ ଦେଢ଼ ଏକର ଜମିକୁ ମହାପ୍ରଭୁଙ୍କ ଖାତାକୁ ଆଣିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବଡ଼ କଥା ହେଉଛି, ଯେଉଁ ଜମିର କିସମ ପରିବର୍ତ୍ତନ ଓ ବ୍ୟକ୍ତିଗତ ଅଧିକାର ଦାବି ନେଇ ମାମଲା ହୋଇଥିଲା, ଶେଷରେ ସେହି ଜମିର ମୂଳ ‘ଅମୃତ ମଣୋହି’ ସ୍ଥିତିକୁ ବଜାୟ ରଖି ମହାପ୍ରଭୁଙ୍କ ନାମରେ ରେକର୍ଡ ପାଇଁ ନିର୍ଦ୍ଦେଶ ଆସିଛି । ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ରେକର୍ଡ ଓ ଆଇନଗତ ସୁରକ୍ଷା ଦୃଷ୍ଟିରୁ ଦୁଇଟି ମାମଲାର ଏହି ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ ।

Spread the love

Leave a Reply

Your email address will not be published. Required fields are marked *