ସମୁଦ୍ର ମଝିରୁ ଉଦ୍ଧାର ହେଲେ ୧୦ ମତ୍ସ୍ୟଜୀବୀ, ଆନ୍ଧ୍ରପ୍ରଦେଶର ଏକ ମାଛଧରା ବୋଟ୍ ଫସିଯାଇଥିଲା
ପୁରୀ : ସମୁଦ୍ର ମଝିରୁ ଉଦ୍ଧାର ହେଲେ ୧୦ ମତ୍ସ୍ୟଜୀବୀ । ବୋଟ ସହିତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ । ଉଦ୍ଧାର ପରେ ବନ୍ଦରର ନିଷିଦ୍ଧାଞ୍ଚଳରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି । ପୁରୀ ଉପକୂଳରେ ସମୁଦ୍ର ଅଶାନ୍ତ ହୋଇପଡିବାରୁ ଆନ୍ଧ୍ରପ୍ରଦେଶର ଏକ ମାଛଧରା ବୋଟ୍ ଫସିଯାଇଥିଲା । ପରେ କୋଷ୍ଟଗାର୍ଡ ପାରାଦୀପ ମୁଖ୍ୟାଳୟକୁ ଯୋଗାଯୋଗ କରିଥିଲେ । ମାଛଧରା ବୋଟକୁ ପାରାଦୀପ ବନ୍ଦର ପୋତାଶ୍ରୟରେ ଆଶ୍ରୟ ନେବାକୁ ବନ୍ଦର କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦର କର୍ତ୍ତୁପକ୍ଷ ସେମାନଙ୍କୁୁ ଅନୁମତି ଦେଇଥିଲେ ।
ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ସହ ସେମାନେ ନିଜ ଘରକୁ ଫେରିଛନ୍ତି । ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା ।
