୧୭୦ ଟଙ୍କା ନୋଟ ପକାଇ ଲୁଟି ନେଲେ ୧ ଲକ୍ଷ ୪୪ ହଜାର ଟଙ୍କା ସହ ୬୦ ଗ୍ରାମ ସୁନା ଗହଣା
ବାଲୁଗାଁ : ୧୭୦ ଟଙ୍କା ନୋଟ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏହାସହ ୬୦ ଗ୍ରାମର ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ରାସ୍ତା ଉପରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନା ଗହଣା । ୧ ଲକ୍ଷ ୪୪ ହଜାର ଟଙ୍କା ସହ ୬୦ ଗ୍ରାମ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁଇଟି ବାଇକରେ ୩ ତିନି ଜଣ ଲୁଟେରା ଆସି ସ୍କୁଟି ଖୋଲି ଟଙ୍କା ଓ ସୁନା ଗହଣା ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ । ଘଟଣା ଘଟିଛି ବାଲୁଗାଁ ଥାନା ଅନ୍ତର୍ଗତ ଇଞ୍ଜନପୁର ଗାଁ ନିକଟରେ ।
ଆଜି ଦିନ ପ୍ରାୟ ସାଢେ ଏଗାରଟା ସମୟରେ ସୁବୁଦ୍ଧିପାଟଣା ଗାଁରେ ରହୁଥିବା ଅଶୋକ କୁମାର ସାହୁ ବାଲୁଗାଁ କାନାରା ବ୍ୟାଙ୍କରୁ ନଗଦ ୧ ଲକ୍ଷ ୪୪ ହଜାର ଟଙ୍କା ସହିତ ୬୦ ଗ୍ରାମର ସୁନା ଗହଣା ବ୍ୟାଗ ନେଇ ସ୍କୁଟିରେ ଘରକୁ ଯାଉଥିଲେ । ଏହି ସମୟରେ ପଛପଟୁ ଗୋଟିଏ ବାଇକରେ ଜଣେ ଲୁଟେରା ଆସି ତମ ପଇସା ପଡିଛି ବୋଲି ଅଶୋକଙ୍କୁ କହିଥିଲେ। ଅଶୋକ ସ୍କୁଟି ରଖି ଟଙ୍କା ଗୋଟାଇବାକୁ ଯାଉଥିବା ସମୟ ରେ ସେତିକି ବେଳେ ଆଉ ଗୋଟିଏ ବାଇକରେ ଦୁଇ ଲୁଟେରା ଆସି ତମ ଟଙ୍କା ପଡିଛି ବୋଲି ଅଶୋକଙ୍କୁ କହି ସ୍କୁଟି ଡିକି ଖୋଲି ଟଙ୍କା, ସୁନା ଗହଣା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଲୁଟେରା ।
