୫ ଶିଶୁ ଓରାଙ୍ଗଉଟାନ୍ କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର, ଏବେ ନିଷ୍ପତ୍ତି ହୋଇନି ସୂଚନା ଦେଲେ ପିସିସିଏଫ

ଭୁବନେଶ୍ୱର : ବାଲେଶ୍ୱରରୁ ଉଦ୍ଧାର ୫ ଶିଶୁ ଓରାଙ୍ଗଉଟାନ୍ କୁ ଫେରାଇ ନେବାକୁ ଇଣ୍ଡୋନେସିଆ ତତ୍ପର। ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟ ଭାରତର CITES Management Authority, ଜାକାର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ଏବଂ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ସହ ଯୋଗାଯୋଗ ଆରମ୍ଭ କରିଛି।

ଏହା ସହ ଇଣ୍ଡୋନେସିଆର National Research and Innovation Agency (BRIN), କୃଷି ମନ୍ତ୍ରଣାଳୟ ଏବଂ ଓରାଙ୍ଗଉଟାନ୍ ସଂରକ୍ଷଣ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂଗଠନକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଉଛି। ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ୫ଟି ଓରାଙ୍ଗଉଟାନ୍ ଙ୍କୁ ସୁରକ୍ଷିତ ଭାବେ ଇଣ୍ଡୋନେସିଆକୁ ଫେରାଇ ନେବା ଲକ୍ଷ୍ୟ। ଇଣ୍ଡୋନେସିଆକୁ ଫେରିବା ପରେ ସେମାନଙ୍କୁ ସିଧାସଳଖ ଜଙ୍ଗଲରେ ଛଡ଼ାଯିବ ନାହିଁ।

ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ଓ କ୍ୱାରେଣ୍ଟାଇନ୍ କରାଯିବ। ଏହାପରେ ଜେନେଟିକ୍ ଚିହ୍ନଟ ଓ ଆଚରଣଗତ ମୂଲ୍ୟାୟନ କରାଯାଇ ପ୍ରତ୍ୟେକ ଓରାଙ୍ଗଉଟାନ୍ ପାଇଁ ପୁନର୍ବାସ ପ୍ରକ୍ରିୟା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ସେମାନେ ଆବଶ୍ୟକ ମାନଦଣ୍ଡ ପୂରଣ କଲେ ନିଜ ପ୍ରାକୃତିକ ଆବାସସ୍ଥଳୀକୁ ଫେରାଇବା ବିଷୟରେ ବିଚାର କରାଯିବ। ସେମାନଙ୍କ ପ୍ରକୃତ ଉତ୍ପତ୍ତିସ୍ଥଳ ଚିହ୍ନଟ ଏବଂ ଏହି ଘଟଣା ପଛରେ କୌଣସି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟୱାର୍କ ରହିଛି କି ନାହିଁ, ତାହାର ତଦନ୍ତରେ ମଧ୍ୟ ସହଯୋଗ କରିବ ଇଣ୍ଡୋନେସିଆ।

ସୁମାତ୍ରାରୁ ଆସିଛନ୍ତି କି ୫ ବଣ ମଣିଷ? ଓରାଙ୍ଗଉଟାନ୍ ଗୁଡ଼ିକର ଶାରୀରିକ ଗଠନ ଓ ବାହ୍ୟ ବୈଶିଷ୍ଟ୍ୟ ଦେଖି ସେମାନେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରୁ ଆସିଥାଇପାରନ୍ତି ବୋଲି ପ୍ରାଥମିକ ଅନୁମାନ କରାଯାଉଛି। କିନ୍ତୁ ଏହା ଏଯାଏଁ ଚୂଡ଼ାନ୍ତ ହୋଇନାହିଁ। ପୂର୍ବତନ PCCF ସୁଶାନ୍ତ ନନ୍ଦଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଶ୍ରୀଧର ଆଚାର୍ଯ୍ୟ ।

ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନ ଛୁଆ ମୂଳ ଦେଶକୁ ଫେରିବେ କି ନାହିଁ, ଏବେ ନିଷ୍ପତ୍ତି ହୋଇନି। ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା। ନନ୍ଦନକାନନରେ ଓରାଙ୍ଗଉଟାନମାନେ ସୁସ୍ଥ ଅଛନ୍ତି। ଧୀରେ ଧୀରେ ସେମାନେ ପରିବେଶ ସହ ଖାପ ଖୁଆଇବାକୁ ଚେଷ୍ଟା କରୁଛନ୍ତି। ଓରାଙ୍ଗଉଟାନ କେଉଁଠୁ ଆସିଥିଲେ, କିଏ ଆଣିଥିଲା ସେ ନେଇ ବାଲେଶ୍ୱର ବନ ବିଭାଗ ଓ ଏସଟିଏଫ ମିଳିତ ତଦନ୍ତ କରୁଛନ୍ତି।

ତେବେ ମୂଳଦେଶକୁ ଏମାନଙ୍କୁ ପଠାଯିବ ନା ନାହିଁ ତାହା ନିଷ୍ପତ୍ତି ହୋଇନି। ପରବର୍ତ୍ତୀ ସମୟରେ ଏ ନେଇ ଆଲୋଚନା ହେବ ବୋଲି କହିଛନ୍ତି ପିସିସିଏଫ୍। ଓରାଙ୍ଗଉଟାନଙ୍କ ୨୪ ଘଣ୍ଟିଆ ଫୁଟେଜ୍ କୁ ନନ୍ଦନକାନନର ଉପନିର୍ଦ୍ଦେଶକ, ନିର୍ଦ୍ଦେଶକ ଓ ପିସିସିଏଫ୍ ନିୟମିତ ଅନୁଧ୍ୟାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *