UMI 2026: ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର

ଭୁବନେଶ୍ୱର : ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଦ୍ୱିତୀୟ ନ୍ୟାସନାଲ ଅର୍ବାନ କନକ୍ଲେଭ୍ (NUC) ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ପୂର୍ବ ଭାରତରେ UMI ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ସୁଗମ ପରିବହନ, ସମାବେଶୀ ବିକାଶ ଓ ଅଧିକ ବାସଯୋଗ୍ୟ ସହର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ କେନ୍ଦୁଝର ଜିଲ୍ଲାର ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳିକା ଶୁଭଲକ୍ଷ୍ମୀ ମହାନନ୍ଦ ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥାରେ ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର ଉପସ୍ଥାପନ କରିଛନ୍ତି । ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ ଓ ଅନୁଷ୍ଠାନଗତ ସହଯୋଗ ମାଧ୍ୟମରେ ନୂଆ ପିଢ଼ିର ଝିଅମାନେ ମଧ୍ୟ ନିଜକୁ ଭବିଷ୍ୟତରେ ଜଣେ ବସ୍ ଚାଳିକା କିମ୍ବା ପରିବହନ ଉଦ୍ୟୋଗୀ ଭାବେ ଦେଖିବାକୁ ପ୍ରେରଣା ପାଇପାରିବେ ।

କେନ୍ଦୁଝର ଜିଲ୍ଲାର ଶୁଭଲକ୍ଷ୍ମୀ ମହାନନ୍ଦ ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳିକା ଭାବେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଆମ ବସର ଷ୍ଟିୟରିଂ ଧରି ସେ କେବଳ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଉନାହାନ୍ତି, ବରଂ ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ନୂଆ ସମ୍ଭାବନାର ରାସ୍ତା ଖୋଲୁଛନ୍ତି।

ମହିଳାଙ୍କୁ ପରିବହନ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ପାଇଁ ଉଷା ପାଢ଼ୀ ବାଣିଜ୍ୟ ଓ ପରିବହନ ବିଭାଗରେ ‘ଆମ ସୁବାହକ’ (AMA SuVAHAK) ପଦକ୍ଷେପ ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ମହିଳାମାନଙ୍କ ପାଇଁ ବୃତ୍ତିଗତ ଗାଡ଼ି ଚାଳନା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହୋଇଛି । ‘ଆମ ସୁବାହକ’ ଯୋଜନାର ଗାଡ଼ି କିଣିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ସହାୟତା, ଇଲେକ୍ଟ୍ରିକ୍ ଯାନ କିଣିବା ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ଏବଂ ମାଗଣା ଡ୍ରାଇଭିଂ ଓ ଉଦ୍ୟୋଗ ପରିଚାଳନା ପ୍ରଶିକ୍ଷଣ ସହ ଲାଇସେନ୍ସ ପାଇଁ ସହାୟତା ବ୍ୟବସ୍ଥା ରହିଛି ।

କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT)ରେ ମଧ୍ୟ ମହିଳାଙ୍କ ପାଇଁ ଡ୍ରାଇଭିଂ ଟ୍ରେନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହାଦ୍ୱାରା ମହିଳାମାନେ ଆବଶ୍ୟକ ଦକ୍ଷତା ହାସଲ କରିବା ସହ ନିଜ ପାଇଁ ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି କରିପାରୁଛନ୍ତି । ଏହି ପଦକ୍ଷେପକୁ ସଫଳ କରିବାରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ପରିବହନ କମିଶନର ଏବଂ CRUTର ପରିଚାଳନା ନିର୍ଦ୍ଦେଶକଙ୍କ ସହଯୋଗ ରହିଛି ।
CRUT ପକ୍ଷରୁ ଭାରୀ ମୋଟର ଯାନ (HMV) ଚାଳନା ଲାଇସେନ୍ସ ଥିବା ୨୦ ଜଣ ମହିଳାଙ୍କୁ ଉନ୍ନତ ଇଲେକ୍ଟ୍ରିକ୍ ବସ୍ ଚାଳନା ପ୍ରଶିକ୍ଷଣ ଦିଆଯାଇଛି । ଏହା ସହିତ ମହିଳାମାନେ ବସ୍ ଚାଳିକା, କଣ୍ଡକ୍ଟର ଓ ଫିଡର୍ ସେବା କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ଭୁବନେଶ୍ୱରରେ ଆୟୋଜିତ UMI 2026ରେ CRUT ପକ୍ଷରୁ ଆମ ବସ୍, ଇଲେକ୍ଟ୍ରିକ୍ ମୋବିଲିଟି, ଓଡ଼ିଶା ଯାତ୍ରୀ ଆପ୍, ସ୍ମାର୍ଟ ପରିବହନ ପରିଚାଳନା, ଡିଜିଟାଲ୍ ଟିକେଟିଂ, ସୁରକ୍ଷା ଓ ଯାତ୍ରୀଙ୍କ ପାଇଁ ସୁଗମ ସେବା ଭଳି ବିଭିନ୍ନ ପଦକ୍ଷେପ ପ୍ରଦର୍ଶିତ ହୋଇଥିଲା । ସମ୍ମିଳନୀର ଯୋଜନା, ସମନ୍ୱୟ ଓ ଆୟୋଜନରେ ମଧ୍ୟ CRUT ସହଯୋଗ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *