ଅର୍ଣ୍ଣବ ପରେ ମୁରାସୁ, ଏଥର ମୌସୁମୀରେ ଏତେ ଲଘୁଚାପ କାହିଁକି?

ଭୁବନେଶ୍ୱର : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ । ଗୋଟିଏ ପରେ ଗୋଟିଏ ଅବପାତ । ଆଉ ଏବେ ମାତ୍ର କିଛି ଦିନ ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ବାତ୍ୟା। ଅକ୍ଟୋବର ଶେଷ ସପ୍ତାହରେ ଅର୍ଣ୍ଣବ ଓ ନଭେମ୍ବର ଆରମ୍ଭରେ ମୁରାସୁ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଙ୍ଗୋପସାଗରର ବଦଳୁଥିବା ପାଣିପାଗ ।

ଏଠାରେ ପ୍ରଶ୍ନ ଉଠୁଛି, ଚଳିତବର୍ଷ ଏତେ ଲଘୁଚାପ କାହିଁକି ସୃଷ୍ଟି ହେଲା? ଏହା କ’ଣ ଏଲ୍ ନିନୋର ପ୍ରଭାବ? ନା ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ? ଏଥିପାଇଁ ଚଳିତବର୍ଷର ମୌସୁମୀ ପରିସଂଖ୍ୟାନ ଏବଂ ବଙ୍ଗୋପସାଗରର ପାଣିପାଗ ସ୍ଥିତିକୁ ବୁଝିବା ଜରୁରୀ । IMDର ସେପ୍ଟେମ୍ବର ୩୦ ତାରିଖର ମୌସୁମୀ ସମୀକ୍ଷା ଅନୁସାରେ, ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ମୋଟ ୧୪ଟି ଲଘୁଚାପଜନିତ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୋଇଥିଲା ।

ଏଥିମଧ୍ୟରୁ ୬ଟି ଅବପାତରେ ଓ ସେଥିରୁ ୩ଟି ଗଭୀର ଅବପାତରେ ପରିଣତ ହୋଇଥିଲା । ଅକ୍ଟୋବର ୨୮ରେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ଏବଂ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଏହାର ମାତ୍ର ୬ ଦିନ ପରେ ନଭେମ୍ବର ୩ ତାରିଖ ଭୋର୍ ସମୟରେ ଭୀଷଣ ବାତ୍ୟା ମୁରାସୁ ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଥିଲା।ଅର୍ଣ୍ଣବ ଓ ମୁରାସୁ ଅକ୍ଟୋବର–ନଭେମ୍ବରର ବାତ୍ୟା । ଏଗୁଡ଼ିକ ଜୁନ୍ ରୁ ସେପ୍ଟେମ୍ବରର ୧୪ଟି ମୌସୁମୀ ଲଘୁଚାପ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ।

ବୈଜ୍ଞାନିକ ଦୃଷ୍ଟିରୁ ଅକ୍ଟୋବର ଓ ନଭେମ୍ବର ବଙ୍ଗୋପସାଗରର ଦ୍ୱିତୀୟ ପ୍ରମୁଖ ବାତ୍ୟା ଋତୁ । ଏହି ସମୟରେ ସମୁଦ୍ରରେ ଉଷ୍ମ ଜଳ, ପ୍ରଚୁର ଜଳୀୟବାଷ୍ପ, ବାୟୁମଣ୍ଡଳର ଅସ୍ଥିରତା ଏବଂ ଅନୁକୂଳ ପବନ ପ୍ରବାହ ରହିଲେ ବାତ୍ୟା ସୃଷ୍ଟି ହୋଇପାରେ । ଏହାର କାରଣ ଏଲ୍ ନିନୋ ହୋଇପାରେ । କିନ୍ତୁ ଏହାକୁ ଏକମାତ୍ର କାରଣ କୁହାଯାଇପାରିବ ନାହିଁ । ଏଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ଜଳ ଅସ୍ୱାଭାବିକ ଭାବେ ଉଷ୍ମ ହେବାର ପ୍ରାକୃତିକ ପ୍ରକ୍ରିୟା । ଏହା ବିଶ୍ୱର ବିଭିନ୍ନ ଅଞ୍ଚଳର ବାୟୁ ପ୍ରବାହ ଓ ବର୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ସାଧାରଣତଃ ଏଲ୍ ନିନୋ ସମୟରେ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ହେବାର ସମ୍ଭାବନା ଅଧିକ ରହିଥାଏ । ୨୦୨୬ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

IMD ଅନୁସାରେ ଏଲ୍ ନିନୋ ଯୋଗୁଁ ବିଶେଷକରି ଦକ୍ଷିଣ ଏବଂ ପୂର୍ବ ଭାରତର ମୌସୁମୀ ବର୍ଷା ପ୍ରଭାବିତ ହୋଇଥିଲା । ତେବେ ଏଲ୍ ନିନୋ ହେଲେ ନିଶ୍ଚିତ ଭାବେ ଅଧିକ ବାତ୍ୟା ହେବ, ଏଭଳି କୌଣସି ସରଳ ନିୟମ ନାହିଁ । ଏଲ୍ ନିନୋ ବାୟୁମଣ୍ଡଳର ବୃହତ୍ତର ପ୍ରବାହକୁ ପରିବର୍ତ୍ତନ କରି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ଓ ଗତିପଥକୁ ପ୍ରଭାବିତ କରିପାରେ । ତେବେ ଏଲ୍ ନିନୋ ସହ ମିଶିଛି ଆଉ କେଉଁ ପାଣିପାଗ ପ୍ରକ୍ରିୟା? ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣ ସାମ୍ନାକୁ ଆସିଛି । IMDର ପୂର୍ବତନ ମହାନିର୍ଦ୍ଦେଶକ କେ. ଜେ. ରମେଶ କହିଛନ୍ତି ଯେ ଏଲ୍ ନିନୋ ବର୍ଷରେ ମୌସୁମୀ ପରବର୍ତ୍ତୀ ସମୟରେ ଅଧିକ ବର୍ଷା ଏବଂ ଲଘୁଚାପଜନିତ ପାଣିପାଗ ସକ୍ରିୟତା ଦେଖିବାକୁ ମିଳିପାରେ ।

ତାଙ୍କ ମତରେ, ଚଳିତବର୍ଷ ତିନୋଟି ପ୍ରମୁଖ ପ୍ରକ୍ରିୟା ଏକାଠି କାମ କରୁଛି । ପ୍ରଥମ କାରଣ ହେଉଛି ଏଲ୍ ନିନୋ ଯାହା ପ୍ରଶାନ୍ତ ମହାସାଗରର ଉଷ୍ମତା ବୃଦ୍ଧି ଯୋଗୁଁ ବାୟୁମଣ୍ଡଳର ପ୍ରବାହରେ ପରିବର୍ତ୍ତନ ହେଉଛି । ଦ୍ୱିତୀୟ କାରଣ ହେଉଛି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ବା IOD । ଭାରତ ମହାସାଗରର ପୂର୍ବ ଓ ପଶ୍ଚିମ ଭାଗ ମଧ୍ୟରେ ସମୁଦ୍ର ତାପମାତ୍ରାର ପାର୍ଥକ୍ୟ ଆଞ୍ଚଳିକ ବର୍ଷା ଏବଂ ବାୟୁ ପ୍ରବାହକୁ ପ୍ରଭାବିତ କରୁଛି । ତୃତୀୟ କାରଣ ହେଲା ମ୍ୟାଡେନ୍ ଜୁଲିଆନ୍ ଅସିଲେସନ୍ ବା MJO । ଏହା ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ମେଘ, ବର୍ଷା ଏବଂ ବାୟୁ ପ୍ରବାହର ଏକ ଚଳନଶୀଳ ପ୍ରକ୍ରିୟା । ଏହା ଅନୁକୂଳ ଅବସ୍ଥାରେ ରହିଲେ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ପାଇଁ ସହାୟକ ହୋଇପାରେ । ରମେଶଙ୍କ ଆକଳନ ଅନୁସାରେ, ଏଲ୍ ନିନୋ, ସକାରାତ୍ମକ IOD ଏବଂ ଭାରତ ମହାସାଗରର ଅସ୍ୱାଭାବିକ ଉଷ୍ମତା ଯୋଗୁଁ ମୌସୁମୀ ପରବର୍ତ୍ତୀ ଅବଧିରେ ମଧ୍ୟ ଲଘୁଚାପ ସକ୍ରିୟ ରହୁଥିବା ଦିନ ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ହୋଇପାରେ ।

ଏପଟେ ବିଶ୍ୱ ତାପମାତ୍ରା ବୃଦ୍ଧି ସହିତ ସମୁଦ୍ର ମଧ୍ୟ ଉଷ୍ମ ହେଉଛି । ଉଷ୍ମ ସମୁଦ୍ର ଜଳ ବାତ୍ୟା ପାଇଁ ଅଧିକ ଶକ୍ତି ଯୋଗାଇପାରେ । ଅନ୍ୟପକ୍ଷରେ ଉଷ୍ମ ବାୟୁମଣ୍ଡଳ ଅଧିକ ଜଳୀୟବାଷ୍ପ ଧାରଣ କରିପାରୁଥିବାରୁ ବାତ୍ୟା ସହ ଅତିପ୍ରବଳ ବର୍ଷାର ବିପଦ ବଢ଼ିପାରେ । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ ବାତ୍ୟା ସଂଖ୍ୟା ନିଶ୍ଚିତ ଭାବେ ବଢ଼ିବ, ତାହା କହିବା ଠିକ୍ ନୁହେଁ । ବାତ୍ୟାର ସଂଖ୍ୟା, ତୀବ୍ରତା ଏବଂ ଗତିପଥ ଭିନ୍ନ ଭିନ୍ନ ପାଣିପାଗ ପ୍ରକ୍ରିୟା ଉପରେ ନିର୍ଭର କରେ । ଅର୍ଣ୍ଣବ ଏବଂ ମୁରାସୁ ପରି ଦୁଇଟି ବାତ୍ୟା ଅଳ୍ପ ବ୍ୟବଧାନରେ ସୃଷ୍ଟି ହେବା ଏକ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ଘଟଣା ।

ତେବେ ଏହା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରମାଣ ବୋଲି କହିବା ପାଇଁ ଅଧିକ ଗବେଷଣା ଆବଶ୍ୟକ । ପୂର୍ବତନ IMD ମହାନିର୍ଦ୍ଦେଶକ କେ. ଜେ. ରମେଶଙ୍କ ଆକଳନ ଅନୁସାରେ, ନଭେମ୍ବର ଏବଂ ଡିସେମ୍ବରରେ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିସ୍ଥିତି ରହିପାରେ। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ ଆଉ ଏକ ବାତ୍ୟା ଆସିବାର ପୂର୍ବାନୁମାନ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *