ଆଗାମୀ ୨୦୨୮ ବିଧାନସଭା ନିର୍ବାଚନ ଲଢିବେନି ସିଦ୍ଧରମୈୟା
ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାକୁ ନେଇ ବଡ଼ ଖବର । ସିଦ୍ଧରମୈୟା ୨୦୨୮ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ନ ଲଢିବା ମାନେ ନୁହେଁ କି ସେ ରାଜନୀତିରୁ ଦୂରେଇ ଯିବେ । କିନ୍ତୁ ରାଜନୀତିରେ ସକ୍ରିୟ ରହିବେ ଏବଂ ଲୋକଙ୍କ ସୁଖ ଦୁଃଖକୁ ନେଇ ସ୍ବର ଉତ୍ତୋଳନ କରିବେ । ସିଦ୍ଧରମୈୟାକୁ ନେଇ କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି, ମୁଁ ଏବେ ୭୯ ବର୍ଷ ବୟସରେ, ଆମ ସରକାରର କାର୍ଯ୍ୟକାଳ ଆହୁରି ଦେଢ଼ ବର୍ଷ ବାକି ଅଛି । ସେତେବେଳକୁ ମୁଁ ୮୧-୮୨ ବର୍ଷ ବୟସର ହେବି । ମୋର ସ୍ୱାସ୍ଥ୍ୟ ଆଉ ପୂର୍ବ ପରି ଭଲ ନାହିଁ । ପୂର୍ବ ପରି ଉତ୍ସାହର ସହିତ କାମ କରିବା ଆଉ ସମ୍ଭବ ନୁହେଁ । ମାଣ୍ଡ୍ୟା ଜିଲ୍ଲାର କେ.ଆର. ପେଟରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ଏହି କଥା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ରାଜନୀତିରେ ଦୁର୍ନୀତି ପ୍ରବେଶ କରିଛି । ତେଣୁ ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ । ତେବେ ରାଜନୀତିରେ ସକ୍ରିୟ ରହି, ମୁଁ ଲୋକଙ୍କ ସୁଖ ଏବଂ ଦୁଃଖର ସ୍ୱର ହୋଇ ରହିବି । ୨୦୨୮ ବେଳକୁ ରାଜନୈତିକ ଜୀବନର ୫୦ ବର୍ଷ ପୂରଣ ହେବ । ରାଜନୀତିରେ ୧୯୭୮ରେ ଯୋଗ ଦେଇଥିଲେ ।
ସେ କହିଛନ୍ତି, ବରୁଣା ନିର୍ବାଚନ ମଣ୍ଡଳୀର ଲୋକମାନେ ମୋତେ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରୁଛନ୍ତି । କିନ୍ତୁ ମୁଁ ଆଉ କୌଣସି ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଆଜିର ରାଜନୀତି ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଗଲାଣି । ସଚ୍ଚୋଟ ରାଜନୀତି ପାଇଁ ଆଉ କୌଣସି ସ୍ଥାନ ନାହିଁ । ଏମିତି ଦେଖି ମୁଁ ଭବିଷ୍ୟତରେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ପାଞ୍ଚ ଦଶନ୍ଧି ଧରି ରାଜ୍ୟର ଲୋକମାନେ ମୋତେ ନିଜର ବୋଲି ଭାବିଛନ୍ତି । ମୁଁ ସେମାନଙ୍କ ନିକଟରେ ଏହି ଋଣୀ । ତେଣୁ, ମୋର ଭବିଷ୍ୟତ ଜୀବନ ମଧ୍ୟ ଜନସେବା ପାଇଁ ସମର୍ପିତ ରହିବ ।
