ଆଧାର ନମ୍ବର ନଥିଲେ ମିଳିବ ନାହିଁ ଚାଷୀଙ୍କୁ ଫସଲ ଋଣ

ଆଧାର ନମ୍ବର ନଥିଲେ ଚାଷୀଙ୍କୁ ଆଉ ଫସଲ ଋଣ ମିଳିବ ନାହିଁ। ଏହି ନିୟମ କେବଳ ସମବାୟ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରେ ସାମିଲ ଥିବା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଚଳିତ ଖରିଫ ଋତୁରେ ଫସଲ ଋଣ ବଣ୍ଟନବେଳେ ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ କିଷାନ କ୍ରେଡିଟ୍ କାର୍ଡ ନେଇଥିବା ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ନିମନ୍ତେ ଫସଲ ଋଣ ପ୍ରଦାନବେଳେ ଚାଷୀଙ୍କ ଆଧାର ନମ୍ବର ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ୨୦୧୯-ଖରିଫ ଋତୁରେ ଫସଲ ଋଣ ବଣ୍ଟନ ପ୍ରକ୍ରିୟାବେଳେ ଚାଷୀଙ୍କ କିଷାନ କେଡ୍ରିଟ୍ କାର୍ଡ ସହ ସେମାନଙ୍କ ଆଧାର ନମ୍ବରର ଡାଟାବେସ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଖରିଫ ଋତୁରେ ଯେଉଁ ଚାଷୀମାନେ ଫସଲ ଋଣ ନେଇସାରିଛନ୍ତି ସେମାନଙ୍କର ଆଧାର ନମ୍ବରକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ସହ ଏଣିକି ବିନା ଆଧାର ନମ୍ବରରେ ଚାଷୀଙ୍କୁ ଫସଲ ଋଣ ନଦେବାକୁ ସମବାୟ ରେଜିଷ୍ଟ୍ରାର ନିର୍ଦ୍ଦେଶ ଦେଇଛନ୍ତି।

Spread the love