ଆନ୍ଧ୍ର ଉପକୂଳ ମୁହାଁ ‘ମୁରାସୁ’ ବାତ୍ୟା, ୨୧ଟି ବିମାନ ଉଡ଼ାଣ ବାତିଲ
ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଲା ‘ମୁରାସୁ’ । ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍ ! । ଘଣ୍ଟାକୁ ୧୨୦ କିମି ବେଗରେ ବୋହିପାରେ ପବନ । ଆନ୍ଧ୍ର ଉପକୂଳରେ ମାଡ଼ ହେବ ବାତ୍ୟା । ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହେଲା ବାତ୍ୟା ‘ମୁରାସୁ’ । ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ଏହି ବାତ୍ୟା । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ସଦ୍ୟତମ ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ବାତ୍ୟା ‘ମୁରାସୁ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି । ଏହି ସମୟ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ।
ଆଜି ଭୋର୍ ସାଢ଼େ ୨ଟା ସୁଦ୍ଧା ବାତ୍ୟା ଚେନ୍ନାଇଠାରୁ ୨୬୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ, ନେଲୋରଠାରୁ ୨୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ମଛଲିପଟ୍ଟନମଠାରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା । ସେହିପରି ଓଙ୍ଗୋଲଠାରୁ ୩୩୦ କିଲୋମିଟର ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣାଠାରୁ ୪୭୦ କିଲୋମିଟର ଦକ୍ଷିଣରେ ରହିଥିଲା ବାତ୍ୟା । ଆଗାମୀ ସମୟରେ ମଧ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବ । ଆଜି ରାତି ସାଢ଼େ ୧୧ଟାରୁ ଆସନ୍ତାକାଲି ଭୋର୍ ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି ।
