ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ ଜିତି ଇତିହାସ ରଚିଲେ କିଟ ଛାତ୍ରୀ ଜ୍ୟୋତିର୍ମୟୀ, ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ବିଜୟୀ

ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ‘ଇଣ୍ଡିଆନ୍ ଆଇଡଲ୍ ବିଜୟୀ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ବିଜେତା ଭାବେ ସେ ଟ୍ରଫି, ଏକ କାର ସହ ₹୨୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ହାସଲ କରିଛନ୍ତି।

ଜ୍ୟୋତିର୍ମୟୀ ଦୀର୍ଘ ୧୦ ମାସ ଧରି ଚାଲିଥିବା ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‌ର ଏହି ସିଜନ୍‌ରେ ନିଜର ଅସାଧାରଣ ସଙ୍ଗୀତ ପ୍ରତିଭା, ପରିଶ୍ରମ ଓ ନିଷ୍ଠାର ପରିଚୟ ଦେଇ ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିଲେ। ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ “ସୈୟାଁ ଓ ସୈୟାଁ” ଗୀତ ପରିବେଷଣ କରି ବିଚାରକ ଏବଂ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ ତାଙ୍କର ନିଖୁଣ ସ୍ୱର, ଭାବପୂର୍ଣ୍ଣ ଉପସ୍ଥାପନା ଓ ଆତ୍ମବିଶ୍ୱାସ ତାଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲା।

ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଥିବା ବେଳେ, ସମଗ୍ର ସିଜନ୍‌ର ବିଚାରକ ଭାବେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ, ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନୀ ଓ ରାପର-ଗାୟକ ବାଦଶାହ ଦାୟିତ୍ୱ ତୁଲାଇଥିଲେ। ବିଚାରକମାନେ ଜ୍ୟୋତିର୍ମୟୀଙ୍କ ପ୍ରତିଭା, ସଙ୍ଗୀତ ପ୍ରତି ସମର୍ପଣ ଓ ଧାରାବାହିକ ଉତ୍କର୍ଷର ଭୂୟସୀ ପ୍ରଶଂସା କରିଥିଲେ।

ଜ୍ୟୋତିର୍ମୟୀଙ୍କ ଏହି ଐତିହାସିକ ସଫଳତା ପରେ ସମଗ୍ର ଓଡ଼ିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ବର୍ଗର ଲୋକ, ସଙ୍ଗୀତପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଓଡ଼ିଶା ତଥା କିଟ ଓ କିସର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ର ବିଜେତା ହେବା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ। ପ୍ରଥମ ଓଡ଼ିଆ ଭାବେ ଏହି ପ୍ରତିଯୋଗୀତା ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି। ଏହା ସମଗ୍ର କିଟ୍, କିସ୍ ଓ କିମ୍ସ ପରିବାର ପାଇଁ ଅତ୍ୟନ୍ତ ଗୌରବରବିଷୟ।”

ଆସନ୍ତାକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ କିଟ୍ କ୍ୟାମ୍ପସକୁ ଅଣାଯିବ। ପରେ କିଟ୍ ପରିସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାକୁ ନେଇ କିଟ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଜ୍ୟୋତିର୍ମୟୀ କିଟରେ ପଢିବା ସମୟରେ ବହୁତ ସମୟ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି। ବିଶେଷ କରି, ରଥଯାତ୍ରା ସମୟରେ କିସ ଶ୍ରୀବାଣୀକ୍ଷେତ୍ରରେ ଅନେକ ସମୟରେ ଭଜନ ପରିବେଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *