ଉଦ୍ଧାର ଦୁଇ ଚୀନ୍ କ୍ରୁଙ୍କୁ ନେଇ ପାରାଦୀପ ଫେରୁଛି ICGS ଭରାଦ, ଅନ୍ୟ ୨୨ ଜଣଙ୍କ ମିଳିନି ପତ୍ତା
ଭୁବନେଶ୍ୱର : ‘ଓସେନ ୱିନର୍’ ଦୁର୍ଘଟଣାରେ ଉଦ୍ଧାର ଦୁଇ ଚୀନ୍ କ୍ରୁଙ୍କୁ ନେଇ ପାରାଦୀପରେ ପହଞ୍ଚିଲା ICGS ‘ଭରାଦ’ । ବଙ୍ଗୋପସାଗରରେ ମାଲବାହୀ ଜାହାଜ MV Ocean Winner ବୁଡ଼ିଯିବା ଘଟଣାରେ ଉଦ୍ଧାର ହୋଇଥିବା ଦୁଇ ଚୀନ୍ କ୍ରୁ ସଦସ୍ୟଙ୍କୁ ନେଇ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ICGS ‘ଭରାଦ’ ପାରାଦୀପ ପହଞ୍ଚିଛି । ଏନେଇ ADG କୋଷ୍ଟାଲ ସିକ୍ୟୁରିଟି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ‘ଓସେନ ୱିନର୍’ ବୁଡ଼ିଯିବା ପରେ ସମୁଦ୍ର ମଝିରେ ଚାଲିଥିବା ବ୍ୟାପକ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ମଧ୍ୟରେ ଦୁଇ ଚୀନ୍ କ୍ରୁ ସଦସ୍ୟଙ୍କୁ ଲାଇଫ୍ ରାଫ୍ଟରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ନିକଟରେ ଥିବା ବାଣିଜ୍ୟିକ ଜାହାଜ MT AISOPOS ସେମାନଙ୍କୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ କୋଷ୍ଟଗାର୍ଡ ଜାହାଜକୁ ଅଣାଯାଇଥିଲା । ଏବେ ICGS ଭରାଦ ସେମାନଙ୍କୁ ନେଇ ପାରାଦୀପ ବନ୍ଦରରେ ପହଞ୍ଚିଛି ।
ପାନାମା ପତାକାବାହୀ MV Ocean Winner ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ ୨୨ ତାରିଖରେ ବଙ୍ଗୋପସାଗରରେ ବୁଡ଼ିଯାଇଥିଲା । ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାନମାର ଓ ଜଣେ ବାଂଲାଦେଶୀ ନାଗରିକ ଥିଲେ । ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ନିଖୋଜ କ୍ରୁଙ୍କ ସନ୍ଧାନରେ କୋଷ୍ଟଗାର୍ଡ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଉଦ୍ଧାର କାର୍ଯ୍ୟରେ ଚାଇନାର ଦୁଇଟି ଜାହାଜ ଓ ନ୍ୟାଭି ର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡ ର ଗୋଟିଏ ଜାହାଜ ନିୟୋଜିତ ହୋଇଛି । ସର୍ଚ୍ଚ ଅପରେସନ୍ ସମୟରେ ‘ଓସେନ ୱିନର୍’ର ଏକ ଲାଇଫ୍ ବୋଟ୍ ଖାଲି ଅବସ୍ଥାରେ ଠାବ ହୋଇଥିଲା । ଏହାପରେ ମଧ୍ୟ ନିଖୋଜ ୨୨ କ୍ରୁଙ୍କୁ ଠାବ କରିବା ପାଇଁ ସମୁଦ୍ରର ବିସ୍ତୃତ ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି ।
