କଲେଜ ଅଧ୍ୟକ୍ଷଙ୍କୁ ଅପହରଣ କଲେ 30 ଯୁବକ

ଗତ ଶୁକ୍ରବାର ହୋଲି ଖେଳ ଦିନ ଦୁଇ ଗାଁ ମଧ୍ୟରେ ହୋଇଥିବା ସାମାନ୍ୟ କଳି ଏବେ ଉଗ୍ରରୂପ ଧାରଣ କରିଛି। ଦୁଇ ଗାଁ ମଧ୍ୟରେ ବିବାଦ ପାଇଁ ଆଜି 30ରୁ ଅଧିକ ମୁଖା ପିନ୍ଧିଥିବା ଯୁବକ ଜଣେ କଲେଜ ଅଧ୍ୟକ୍ଷଙ୍କୁ ଅପହରଣ କରିନେଇଛନ୍ତି। ଖବରପାଇ ଇଟାମାଟି ପୁଲିସ ଅପହୃତ ଅଧ୍ୟକ୍ଷଙ୍କୁ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ 22 ତାରିଖ ଦିନ ହୋଲି ଖେଳକୁ ନେଇ ଥିବା କିଛି ବିବାଦରୁ ଏଭଳି ମହାଭାରତ ସୃଷ୍ଟି ହୋଇଛି। ହୋଲି ଦିନ ଇଟାମାଟି ଥାନା ଅଧୀନ ଶଙ୍ଖେଇ ଓ ଲାଠିପଡ଼ା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ‌ହୋଇଥିଲା। ତେବେ ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ତୀବ୍ର ଉତ୍ତେଜନା ତିନିଦିନ ହେବ ଲାଗିରହିଥିଲା। ଏହାର କୌଣସି ସମାଧାନ ହୋଇ ପାରି ନଥିଲା। ଗତକାଲି ଲାଠିପଡ଼ାର କିଛି ଯୁବକ ଶଙ୍ଖେଇ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ କରି ନେଇ ନିଜ ଗ୍ରାମରେ ରଖିଥିଲେ।

ଉକ୍ତ ଯୁବକଙ୍କୁ ପୁଲିସ ଉଦ୍ଧାର କରିଥିଲା। କିନ୍ତୁ ଆଜି ଶଙ୍ଖେଇ ଗ୍ରାମବାସୀ ରାଗ ରଖି ଲାଠିପଡ଼ା ଗ୍ରାମର ବାସିନ୍ଦା ତଥା‌ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟ, କେନ୍ଦୁଢିପିର ଅଧ୍ୟକ୍ଷ ରାଜକିଶୋର ପଣ୍ଡାଙ୍କୁ ଅପହରଣ କରି ନେଇଥିଲେ। ପ୍ରାୟ 30 ଜଣ ମୁଖାଧାରୀ ଯୁବକ ଦିନ 11ଟା ସମୟରେ କଲେଜ ପରିସରରୁ ତାଙ୍କୁ ଅପହରଣ କରିନେଇ ଶଙ୍ଖେଇ ଗ୍ରାମରେ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବସାଇଥିଲେ। ଖବର ପାଇ ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟକ୍ଷଙ୍କୁ ଉଦ୍ଧାର କରିଥିଲା। ଘଟଣାର ସମାଧାନ ନେଇ ପୁଲିସ ଉଭୟ ଗ୍ରାମର ମୁରବୀଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିଛି। ଆସନ୍ତା ବୁଧବାର ଦିନ ଦୁଇ ଗ୍ରାମର ମୁଖିଆଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରାଯିବ ବୋଲି ଇଟାମାଟି ଆଇଆଇସି ଶରତଚନ୍ଦ୍ର ସାହୁ କହିଛନ୍ତି।

Spread the love