କୋଇଲା ଆବଣ୍ଟନ ମାମଲା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ମାମଲାକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି। 2014 ମାର୍ଚ୍ଚ26 ରେ ମାମଲା ଦାଏର ହୋଇଥିବା ବେଳେ କେଉଁ କାରଣରୁ ତଦନ୍ତ ବିଳମ୍ବିତ ହୋଇଛି ସେ ସଂକ୍ରାନ୍ତରେ ଜାଣିବା ଲାଗି ଏ ସମ୍ପର୍କିତ ସମସ୍ତ ଫାଇଲ ନୋଟିଂ ଅଦାଲତରେ ଉପସ୍ଥାପନ କରିବାକୁ ଆବେଦନରେ ନିବେଦନ କରାଯାଇଛି।

ଆବେଦନକାରୀ ବୈଭବ ବର୍ମା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ସିବିଆଇ କୋଇଲା ଆବଣ୍ଟନ ମାମଲାରେ ଜେରା କରିସାରିଛି। ଆର୍‌ସି/2014 E 0007 ସମ୍ପର୍କିତ ମେସର୍ସ ସେଣ୍ଟ୍ରାଲ କୋଲିଆରିଜ କୋ.ଲିମିଟେଡ ଏବଂ ଅନ୍ୟମାନଙ୍କ(ନାଗପୁର) ବିରୋଧରେ ଆଜକୁ 5 ବର୍ଷ ପୂର୍ବେ ମାମଲା ଦାଏର ହୋଇଥିବା ବେଳେ ଏହାର ତଦନ୍ତ ତ୍ୱରାନ୍ବିତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ନିବେଦନ କରାଯାଇଛି। ସେଣ୍ଟ୍ରାଲ କୋଲିଆରିଜ ମାମଲାରେ ଜାଲିଆତି, ଆପରାଧିକ ଆସ୍ଥା ତୁଟିବା ଏବଂ କୋଇଲା ଖଣିର କ୍ୟାପ୍ଟିଭ ବଣ୍ଟନ ନୀତି ବଦଳରେ ଖୋଲା ବଜାରରେ କୋଇଲା ବିକ୍ରି ଅଭିଯୋଗ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ, 1998ରେ ପଞ୍ଜୀକୃତ ହେବା ପୂର୍ବରୁ ସେଣ୍ଟ୍ରାଲ କୋଲିଆରିଜକୁ ମହାରାଷ୍ଟ୍ରର ଟକଲି ଜେନା ବେଲ୍ଲୋରା କୋଇଲା ଖଣି ବଣ୍ଟନ କରାଯାଇଥିଲା। ସେହି ସମୟରେ ପଟ୍ଟନାୟକ କେନ୍ଦ୍ର ସରକାରରେ ଖଣି ମନ୍ତ୍ରୀ ଥିଲେ।

ଏଥିରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କ ବିରୋଧରେ ଯାଞ୍ଚ ନ ଆଗେଇବାରୁ ଏହି ମାମଲାର ତଦନ୍ତ ଅହେତୁକ ଭାବେ ବିଳମ୍ବ ହୋଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ କି କ୍ଷମାଯୋଗ୍ୟ ନୁହେଁ। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ 2017 ନଭେମ୍ବର 25ରେ ଜେରା କରାଯାଇଥିବା ଜଣାପଡିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ନବୀନଙ୍କୁ ଜେରା ପରେ ତଦନ୍ତରେ ବିଳମ୍ବ କରିବାର କୌଣସି କାରଣ ନାହିଁ। ଜେରାର 2 ବର୍ଷ ବିତିଯିବା ପରେ ମଧ୍ୟ ତଦନ୍ତର ଚୂଡ଼ାନ୍ତ ପରିଣାମ ଆଜିଯାଏ ମିଳିପାରିନାହିଁ ବୋଲି ଆବେଦନକାରୀ ବର୍ମା କହିଛନ୍ତି। ସୂଚନାଥାଉ କି, ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିବିଆଇ 1993ରୁ 2010 ମଧ୍ୟରେ କ୍ୟାପ୍ଟିଭ କୋଇଲା ବ୍ଲକ ବଣ୍ଟନର ତଦନ୍ତ ଜାରି ରଖିଛି।

Spread the love