ଗଞ୍ଜାମରେ ଭୟଙ୍କର ବନ୍ୟା ପଛରେ ୭ କାରଣ, ଆଗୁଆ ଆକଳନରେ କେଉଁଠି ରହିଲା ଭୂଲ?
ଗଞ୍ଜାମ: ଗଞ୍ଜାମରେ ଭୟଙ୍କର ବନ୍ୟା ପଛରେ ୭ କାରଣ । ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ପ୍ରଶ୍ନ । ଆଗୁଆ ଆକଳନରେ କେଉଁଠି ରହିଲା ଭୁଲ? ବିପଦପ୍ରବଣ ଗାଁରେ ସତର୍କତା ଓ ସ୍ଥାନାନ୍ତର ବ୍ୟବସ୍ଥା କେତେ ପ୍ରଭାବୀ ଥିଲା? ଗଞ୍ଜାମରେ ଭୟଙ୍କର ବନ୍ୟା ପରେ ଏବେ ଉଠୁଛି ଅନେକ ପ୍ରଶ୍ନ । ଆସିକା, ସୋରଡ଼ା, ଭଞ୍ଜନଗର ଓ ସାନଖେମୁଣ୍ଡିରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଶହ ଶହ ଗାଁରେ ପାଣି ପଶିଥିବାବେଳେ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ପ୍ରବଳ ବର୍ଷା ଓ ଋଷିକୁଲ୍ୟାର ଜଳସ୍ତର ବୃଦ୍ଧି ବନ୍ୟାର ପ୍ରମୁଖ କାରଣ। କିନ୍ତୁ ଏତେ ବଡ଼ ବିପର୍ଯ୍ୟୟ ପୂର୍ବରୁ ପ୍ରଶାସନ କେତେ ପ୍ରସ୍ତୁତ ଥିଲା? ବର୍ଷା ଓ ବନ୍ୟାର ଆଗୁଆ ଆକଳନରେ କେଉଁଠି ରହିଲା ଭୂଲ? ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିଲିମିଟର ବର୍ଷା ହୋଇଥିବା ରିପୋର୍ଟ ରହିଛି। ଏତେ କମ୍ ସମୟରେ ବିପୁଳ ବର୍ଷାଜଳ ନଦୀନାଳକୁ ପ୍ରବେଶ କରିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ମାଟିର ଜଳ ଶୋଷଣ କ୍ଷମତା କମିଥିବା ସମ୍ଭାବନା ରହିଛି । ଫଳରେ ବର୍ଷାଜଳ ଦ୍ରୁତ ଗତିରେ ନଦୀ ଓ ତଳିଆ ଅଞ୍ଚଳକୁ ପ୍ରବାହିତ ହୋଇଛି ।
ପୁରୁଷୋତ୍ତମପୁରରେ ନଦୀର ବିପଦ ସଙ୍କେତ ୧୬.୮୪ ମିଟର ଥିବାବେଳେ ଜଳସ୍ତର ପ୍ରାୟ ୧୯.୨ ମିଟରରେ ପହଞ୍ଚିଥିବା ସୂଚନା ରହିଛି । ଏହା ନଦୀକୂଳିଆ ଗାଁଗୁଡ଼ିକ ପାଇଁ ବିପଦ ବଢ଼ାଇଛି । ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସାନଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ରାସ୍ତା ଓ ପୋଲ ଉପରେ ପାଣି ପ୍ରବାହିତ ହୋଇଛି । ଏହା ଯାତାୟାତ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ କଠିନ କରିଛି । ସୋରଡ଼ା ଓ ଆସିକାର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ନଦୀର ଜଳସ୍ତର ବଢ଼ିବା ସମୟରେ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପାରେ ।
ତେବେ ସ୍ଥାନୀୟ ଡ୍ରେନେଜ୍ ବ୍ୟବସ୍ଥା କେତେ ସକ୍ଷମ ଥିଲା, ତାହାର ସମୀକ୍ଷା ଜରୁରୀ । ଭଞ୍ଜନଗରରେ ଦହ ଡ୍ୟାମ୍ ରୁ ପାଣି ଛଡ଼ାଯିବା ପରେ କେତେକ ଅଞ୍ଚଳରେ ଜଳସ୍ତର ବୃଦ୍ଧି ନେଇ ରିପୋର୍ଟ ରହିଛି । ତେବେ ଜଳ ନିଷ୍କାସନର ପ୍ରକୃତ ପ୍ରଭାବ କେତେ ଥିଲା ଏବଂ ତଳମୁଣ୍ଡର ଲୋକଙ୍କୁ କେତେ ଆଗରୁ ସତର୍କ କରାଯାଇଥିଲା, ତାହା ସ୍ପଷ୍ଟ ହେବା ଆବଶ୍ୟକ । ଏତେ ଅଧିକ ବର୍ଷାର ଆକଳନ ହୋଇନଥିବା ନେଇ ଜଳସମ୍ପଦ ବିଭାଗର ବକ୍ତବ୍ୟ ପରେ ପୂର୍ବ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି । ପାଣିପାଗ ସତର୍କତା, ନଦୀର ଜଳସ୍ତର ଆକଳନ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ କେତେ ପ୍ରଭାବୀ ଥିଲା, ତାହା ଯାଞ୍ଚ ହେବା ଦରକାର । ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଋଷିକୁଲ୍ୟା ଓ ଅନ୍ୟାନ୍ୟ ନଦୀରେ ଏତେ ଅଧିକ ବନ୍ୟାଜଳ ଆସିବାର ଆକଳନ କାହିଁକି ହୋଇପାରିଲାନି?
ବିପଦପ୍ରବଣ ଗାଁଗୁଡ଼ିକୁ କେତେ ଆଗରୁ ସତର୍କ କରାଯାଇଥିଲା? ହଜାର ହଜାର ଲୋକ ଜଳବନ୍ଦୀ ହେବା ପୂର୍ବରୁ ସ୍ଥାନାନ୍ତର ପ୍ରକ୍ରିୟା ଆହୁରି ଶୀଘ୍ର କରାଯାଇପାରିଥାନ୍ତା କି? ଡ୍ୟାମ୍ ପରିଚାଳନା, ଜଳ ନିଷ୍କାସନ ଓ ନଦୀକୂଳିଆ ଅଞ୍ଚଳର ସୁରକ୍ଷା ପାଇଁ କେଉଁ ଆଗୁଆ ପଦକ୍ଷେପ ନିଆଯାଇଥିଲା? ସେଗୁଡ଼ିକ ପର୍ଯ୍ୟାପ୍ତ ଥିଲା କି? ବନ୍ୟା ପରିସ୍ଥିତି ମଧ୍ୟରେ ଏନ୍ ଡିଆର୍ ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟ ସହିତ ବିପର୍ଯ୍ୟୟ ପୂର୍ବରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି ।
