ଗାୟକ ଅଙ୍କିତ ବାଲିଆନଙ୍କୁ ଗୁଳି କରି ହତ୍ୟା, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ହରିୟାଣଭୀ ଗାୟକ ଅଙ୍କିତ ବାଲିଆନଙ୍କୁ ଜିମରୁ ବାହାରୁଥିବା ସମୟରେ ଗୁଳି କରି ହତ୍ୟା କରାଯାଇଛି । ୪ ଜଣ ଅଜଣା ଦୁର୍ବୃତ୍ତ ଅଙ୍କିତଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଅଙ୍କିତଙ୍କ ଶରୀରରେ ଏକାଧିକ ଗୁଳି ଲାଗିଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଏଥିସହ ଘଟଣାସ୍ଥଳରୁ ପ୍ରାୟ ୨୦ଟି କୋଟି ଟଙ୍କା ମଧ୍ୟ ଜବତ ହୋଇଛି ।
ସେପଟେ ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ଅଙ୍କିତ ବାଲିଆନଙ୍କ ଏଭଳି ହତ୍ୟା ପଶ୍ଚିମ ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି । ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ କୌଣସି ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି ।

ଏହାରି ମଧ୍ୟରେ ହରିୟାଣାରୁ ଏହି ହତ୍ୟାକାଣ୍ଡକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସୋନିପତର ଜଣେ ଅପରାଧୀ ଅଙ୍କିତ ବାଲିଆନଙ୍କ ହତ୍ୟାର ଦାୟିତ୍ୱ ନେଇଛି । ସୋନିପତର ଭୋଲୁ ଶାହପୁରିଆ ଏହି ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିବା ଦାବି କରାଯାଉଛି । ତେବେ ଭୋଲୁ ଶାହପୁରିଆ କିଏ ଏବଂ ଅଙ୍କିତଙ୍କ ସହ ତାଙ୍କର କ’ଣ ଶତ୍ରୁତା ଥିଲା, ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଭୋଲୁ ଶାହପୁରିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଙ୍କିତ ବାଲିଆନଙ୍କ ହତ୍ୟାର ଦାୟିତ୍ୱ ନେଇଥିବା ଦାବି ହୋଇଛି । ପୋଷ୍ଟରେ କୁହାଯାଇଛି ଯେ, ଅଙ୍କିତ ସେମାନଙ୍କ ଶତ୍ରୁମାନଙ୍କ ସହ ମିଶି କାମ କରୁଥିଲେ । ଏଥିସହିତ ‘ଗୋଗୀ ଭାଇ’ ସହ ଜଡ଼ିତ ଏକ ଘଟଣାକୁ ନେଇ ଅଙ୍କିତ ଏକ ଗୀତ ତିଆରି କରିଥିବା ଏବଂ ସେ ଶତ୍ରୁମାନଙ୍କ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ଦାବି କରାଯାଇଛି । ଏହା ବ୍ୟତୀତ ପୋଷ୍ଟରେ ଧମକ ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଯିଏ ସେମାନଙ୍କ ଶତ୍ରୁମାନଙ୍କ ସାଥ୍ ଦେବ, ତାଙ୍କର ମଧ୍ୟ ଏଭଳି ଅବସ୍ଥା ହେବ । ଏହା କେବଳ ‘ଆରମ୍ଭ’ । ଏଭଳି କହିବା ସହିତ ‘ସମସ୍ତଙ୍କ ପାଳି ଆସିବ’ ବୋଲି ଧମକ ଦିଆଯାଇଛି । ଏହି ଦାବିର ସତ୍ୟତା ପୋଲିସ ଯାଞ୍ଚ କରୁଛି ।

Spread the love

Leave a Reply

Your email address will not be published. Required fields are marked *