ଗିରଫ ହେଲେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ସମ୍ବଲପୁର : ଗିରଫ ହେଲେ କୋଟିପତି ବାବୁ । ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ତଦନ୍ତ ବେଳେ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ପଦ୍ମଲୋଚନ ନାୟକ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଆଜି ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଅଦାଲତରେ ହାଜର କରାଯିବ ।

ତେବେ ରେଡ ବେଳେ ସାମ୍ନାକୁ ଆସିଛି ଯନ୍ତ୍ରୀଙ୍କ ଜୁଆ ଖେଳ ସଉକ । ଜୁଆ ଖେଳିବାକୁ ପଦ୍ମଲୋଚନ ବାରମ୍ବାର ଶ୍ରୀଲଙ୍କା ଯାଉଥିଲେ ବୋଲି ଜଣାପଡିଛି । ତାଙ୍କର ସମ୍ପତ୍ତି ସରକାରୀ ଆୟଠାରୁ ୧୧୯ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି । ସେହିପରି ୪ କୋଟି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି। ପଦ୍ମଲୋଚନଙ୍କ୧୮ଟି ଦାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ । ବାଲେଶ୍ଵର, ଯାଜପୁର ଓ କଟକର ପ୍ରାଇମ ଲୋକେସନରେ ପ୍ଲଟ୍ ରହିଛି । ଭୁବନେଶ୍ବରରେ ୫ଟି, କଟକରେ ୩ଟି, ଯାଜପୁର କୋରେଇରେ ୬, ବାଲେଶ୍ବର ବସ୍ତାରେ ୩ ଏବଂ ପୁରୀ ଡେଲାଙ୍ଗରେ ଗୋଟିଏ ପ୍ଲଟ ଠାବ ହୋଇଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । କଟକର ବିଦ୍ୟାଧରପୁର ଅଞ୍ଚଳରେ ପ୍ରାୟ ୭,୦୦୦ ବର୍ଗଫୁଟ୍ ବିଶିଷ୍ଟ ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ମୁଖାଲିସ୍ ଅଞ୍ଚଳରେ ୧,୪୬୫ ବର୍ଗଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠା ଠାବ କରାଯାଇଛି ।

ଏହି କୋଠା ଓ ଜମିଗୁଡ଼ିକର ମାପ ଏବଂ ବଜାର ମୂଲ୍ୟ ଆକଳନ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ ପକ୍ଷରୁ ଜାରି ରହିଛି । ରେଡ ବେଳେ ୩ ଲକ୍ଷ ୪୫ ହଜାର ନଗଦ ଟଙ୍କା ସହ ଶ୍ରୀଲଙ୍କା, ନେପାଳ, ବାହାରିନ ଓ ଆମେରିକାର କିଛି ବିଦେଶୀ ମୁଦ୍ରା ଜବତ କରାଯାଇଛି । ସେହିପରି ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଓ ଅନ୍ୟାନ୍ୟ ଆର୍ଥିକ ନିବେଶର ତଥ୍ୟ ଯାଞ୍ଚ କରାଯାଉଛି । ଏହା ସହିତ ଏକ ଜେସିବି ମେସିନ୍ , ୩ଟି ଚାରିଚକିଆ ଗାଡ଼ିଏବଂ ଏକ ଦୁଇଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *