ଗୁଟଖା ଗାଡ଼ି ଅଟକାଇ ଡକାୟତି ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ
ଲଷ୍ମୀପୁର: ଗୁଟଖା ଗାଡ଼ି ଅଟକାଇ ଡକାୟତି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ବ୍ରହ୍ମପୁରରୁ ତମାଖୁ ଗୁଟଖା ନେଇ ଜୟପୁର ଯାଉଥିବା ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଡକାୟତି ଘଟଣାରେ କାକିରିଗୁମ୍ମା ପୋଲିସକୁ ମିଳିଛି ସଫଳତା । ବିପୁଳ ପରିମାଣର ତମାଖୁ ସହ ଗାଡ଼ି, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
ଗାଡ଼ି ଜୟପୁର ଯାଉଥିବା ବେଳେ ତିନୋଟି ମୋଟରସାଇକେଲରେ ଆସିଥିବା କିଛି ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ଭୟଭୀତ କରି ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଦୁର୍ବୃତ୍ତ ଦୁଇଟି ମୋବାଇଲ୍ ଫୋନ୍, ନଗଦ ୭ ହଜାର ୫ ଶହ ଟଙ୍କା ଏବଂ ଗୋଟିଏ GPS ମେସିନ୍ ନେଇଯାଇଥିଲେ ।
ପରେ ଦୁର୍ବୃତ୍ତ ଗୁଟଖା ବୋଝେଇ ଥିବା ପିକ୍ଅପ୍ ଗାଡ଼ିକୁ ଦାମନଯୋଡ଼ି ବେଜାପୁଟ ନିକଟକୁ ନେଇ ଅନ୍ୟ ଏକ ପିକ୍ଅପ୍ ଗାଡ଼ିରେ ଗୁଟଖା ଅନଲୋଡ୍ କରିଥିଲେ । ପରେ ଏହାକୁ ଜୟପୁରର ଜଣେ ବ୍ୟବସାୟୀଙ୍କ ନିକଟକୁ ନେଇ ବିକ୍ରି କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କଠାରୁ ବିଭିନ୍ନ ଜିନିଷପତ୍ର ଜବତ କରିଛି ।
