ପ୍ରଥମେ କେଉଁଠି ସ୍ଥାପନ ହୋଇଥିଲା ଟ୍ରାଫିକ୍ ସିଗନାଲ୍, ଜାଣନ୍ତୁ କିଏ କରିଥିଲେ ଉଦ୍ଭାବନ
ରାସ୍ତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ, ଆପଣଙ୍କୁ ଅନେକ ଟ୍ରାଫିକ୍ ସିଗନାଲ ଦେଇ ଯିବାକୁ ପଡିଥାଏ । ସମୟ ସମୟରେ ଟ୍ରାଫିକ୍ ନିୟମ ଲାଗୁ କରିବା ପାଇଁ ଟ୍ରାଫିକ୍ ସିଗନାଲର ପରିବର୍ତ୍ତିତ ରଙ୍ଗ – ଲାଲ, ସବୁଜ ଏବଂ ହଳଦିଆକୁ ବ୍ୟବହାର କରାଯାଏ । ଆପଣ ନିଶ୍ଚିତ ଭାବେ ଜାଣିଥିଲେ ଯାନବାହନ ପରିଚାଳନା ପାଇଁ ଏହି ଟ୍ରାଫିକ୍ ଲାଇଟ୍ କେତେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଗୁଡ଼ିକୁ କିଏ ଉଦ୍ଭାବନ କରିଥିଲେ ? ଆସନ୍ତୁ ଏ ବିଷୟରେ କିଛି ଆକର୍ଷଣୀୟ ତଥ୍ୟ ଜାଣିବା।
୧୮୬୮ ମସିହା ଡିସେମ୍ବର ମାସରେ ଲଣ୍ଡନର ୱେଷ୍ଟମିନିଷ୍ଟରରେ ସ୍ଥାପିତ ହୋଇଥିଲା ପ୍ରଥମ ଟ୍ରାଫିକ୍ ସିଗନାଲ । ବ୍ରିଟିଶ ସଂସଦ ଏବଂ ୱେଷ୍ଟମିନିଷ୍ଟର ବ୍ରିଜ୍ ନିକଟରେ ଅବସ୍ଥିତ ଏହି ସିଗନାଲଗୁଡ଼ିକ ବିଦ୍ୟୁତ୍ ଦ୍ୱାରା ନୁହେଁ ବରଂ ଗ୍ୟାସ୍ ଦ୍ୱାରା ପରିଚାଳିତ ହେଉଥିଲା । ଯେହେତୁ ଏଗୁଡ଼ିକୁ ହାତରେ ଚଲାଇବାକୁ ପଡୁଥିଲା, ଜଣେ ପୋଲିସ କର୍ମଚାରୀ ଏକ ପାଇପ୍ ମାଧ୍ୟମରେ ସିଗନାଲକୁ ଗ୍ୟାସରେ ଭରୁଥିଲେ ଏବଂ ତପରେ ଏହାକୁ ପରିଚାଳନା କରୁଥିଲେ । କହି ରଖୁଛୁ ଏହି ସିଗନାଲରେ ଥରେ ଲିକ୍ ହୋଇଥିବାରୁ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।
ଏହି ଟ୍ରାଫିକ୍ ସିଗନାଲରେ ପ୍ରଥମେ ଲାଲ ଏବଂ ସବୁଜ ଭଳି ଦୁଇଟି ରଙ୍ଗକୁ ବ୍ୟବହାର କରାଯାଇଥିଲା, ଯାହା ଏକ ପାଇପରେ କନେକ୍ଟ ଥିଲା । ଏହି ସିଗନାଲଗୁଡ଼ିକ ବ୍ରିଟିଶ ରେଳବାଇ ଟ୍ରାଫିକ୍ ଇଞ୍ଜିନିୟର ଜନ୍ ପିକ୍ ନାଇଟ୍ ଦ୍ୱାରା ଡେଭଲପ୍ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏଗୁଡ଼ିକ ରାସ୍ତା ପାଇଁ ନୁହେଁ ବରଂ ରେଳମାର୍ଗ ପାଇଁ ଉଦ୍ଭାବନ କରାଯାଇଥିଲା ।
ମଡର୍ଣ୍ଣ ଟ୍ରାଫିକ୍ ଲାଇଟ୍ ବିଷୟରେ କହିବାକୁ ଗଲେ, ଏହା ଆମେରିକୀୟମାନଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା । ଏହାକୁ ପ୍ରଥମେ ୧୯୧୪ ମସିହାରେ କ୍ଲିଭଲ୍ୟାଣ୍ଡରେ ସ୍ଥାପନ କରାଯାଇଥିଲା । ଏହି ଟ୍ରାଫିକ୍ ଲାଇଟ୍ ବିଦ୍ୟୁତ୍ ସାହାଯ୍ୟରେ ଚାଲିଥିଲା, କିନ୍ତୁ ଏହାକୁ ଡେଭଲପ୍ କରିବା ପାଇଁ ବହୁତ ସମୟ ଯାଇଥିଲା । ଆରମ୍ଭରେ, ଏହାକୁ ଏକ ସ୍ୱିଚ୍ ସାହାଯ୍ୟରେ ଅନ୍- ଅଫ୍ କରିବାକୁ ପଡ଼ୁଥିଲା, କିନ୍ତୁ ସମୟ ସହିତ ଏହା ବିକଶିତ ହୋଇଥିଲା । ଏହାକୁ ମିଶିଗାନର ୱିଲିୟମ୍ ନାମକ ଜଣେ ପୋଲିସ କର୍ମଚାରୀ ଉଦ୍ଭାବନ କରିଥିଲେ ।
ଟ୍ରାଫିକ୍ ଲାଇଟରେ ପ୍ରଥମେ କେବଳ ଲାଲ ଏବଂ ସବୁଜ ଭଳି ଦୁଇଟି ରଙ୍ଗ ବ୍ୟବହାର କରାଯାଉଥିଲା । କିନ୍ତୁ ୧୯୨୧ ମସିହାରେ, ୱିଲିୟମ୍ ହଳଦିଆକୁ ମିଶାଇଥିଲେ । ପରେ ତିନି ରଙ୍ଗର ସିଗନାଲ ଲାଇଟ୍ ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ଏବେ ବି ଟ୍ରାଫିକ୍ ସିଗନାଲରେ ବ୍ୟବହାର କରାଯାଉଛି ।
ଭାରତରେ ଟ୍ରାଫିକ୍ ସିଗନାଲ କେବେ ଆରମ୍ଭ ହୋଇଥିଲା?
ଭାରତରେ ପ୍ରଥମ ଟ୍ରାଫିକ୍ ସିଗନାଲ ଚେନ୍ନାଇରେ ସ୍ଥାପନ କରାଯାଇଥିଲା । ୧୯୫୩ ମସିହାରେ ଏଗମୋର୍ ଜଙ୍କସନ୍ରେ ପ୍ରଥମ ଟ୍ରାଫିକ୍ ସିଗନାଲ ସ୍ଥାପନ କରାଯାଇଥିଲା। କିଛି ବର୍ଷ ପରେ, ଏହା ବେଙ୍ଗାଲୁରୁରେ ମଧ୍ୟ ସ୍ଥାପନ କରାଯାଇଥିଲା ଏବଂ ଧୀରେ ଧୀରେ ଅନ୍ୟ ସହରଗୁଡ଼ିରେ ମଧ୍ୟ ଏହି ଟ୍ରାଫିକ୍ ସିଗନାଲକୁ ବିସ୍ତାର କରାଯାଇଥିଲା।
