ବିଶ୍ବଭୂଷଣ ହରିଚନ୍ଦନଙ୍କ ବାସଭବନରେକବିତା ସଙ୍କଳନ “ଅନ୍ଧାରର ପାରିଧି” ଉନ୍ମୋଚିତ

ଆନ୍ଧ୍ରପ୍ରଦେଶ ତଥା ଛତିଶଗଡ଼ର ଭୂତପୂର୍ବ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନଙ୍କ ବାସଭବନରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବରଗଡ଼ ଜିଲ୍ଲାର କବୟିତ୍ରୀ ପ୍ରବାସିନୀ ହୋତାଙ୍କ କବିତା ସଂକଳନ “ଅନ୍ଧାରର ପାରିଧି” ଲୋକାର୍ପିତ ହୋଇଯାଇଛି । ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମିଳିତ ହୋଇଥିଲେ ପ୍ରଖ୍ୟାତ ଔପନ୍ୟାସିକ ଶାନ୍ତନୁ ଆଚାର୍ଯ୍ୟ, ପ୍ରଫେସର ଶଶାଙ୍କ ଚୂଡାମଣି, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ତଥା କବୟିତ୍ରୀ ଜୟନ୍ତୀ ରଥ ଏବଂ ଫକୀରମୋହନ ଫାଉଣ୍ଡେସନର ଅଧ୍ୟକ୍ଷା କବୟିତ୍ରୀ ମୋନିକା ଦାସ । ମହାପ୍ରଭୁ ଜଗନ୍ନାଥଙ୍କ ଆରାଧନାରେ କଣ୍ଠଶିଳ୍ପୀ ସ୍ପନ୍ଦନିକା ପଟ୍ଟନାୟକଙ୍କ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଆୟୋଜକ ସଞ୍ଜୀବ କୁମାର ମହାପାତ୍ର ସମସ୍ତଙ୍କୁ ସ୍ବାଗତ ସମ୍ଭାଷଣ ଜଣାଇଥିଲେ । ବହି ସହ ନିଜ ଆବେଗର ମୁହୂର୍ତ୍ତକୁ ସମସ୍ତଙ୍କ ସହ ବାଣ୍ଟିଥିଲେ କବୟିତ୍ରୀ ପ୍ରବାସିନୀ ହୋତା । ସାହିତ୍ୟ ହିଁ ସମାଜରେ କ୍ରାନ୍ତି ଆଣେ । ତେଣୁ କବି ଓ ଲେଖକମାନଙ୍କ ପୃଷ୍ଠପୋଷକତା କରିବା ପାଇଁ ସମାଜ ସବୁବେଳେ ତତ୍ପର ହେବା ଉଚିତ ବୋଲି ମୁଖ୍ୟ ଅତିଥି ବିଶ୍ବଭୂଷଣ ହରିଚନ୍ଦନ ଏହି ପ୍ରସଙ୍ଗରେ କହିଥିଲେ । ଜୟନ୍ତୀ ରଥ ଏହି କବିତା ସଂକଳନର କବିତା “ପ୍ରାର୍ଥନା” ଉପରେ ସଂକ୍ଷିପ୍ତ ବିଶ୍ଳେଷଣ କରିଥିଲେ । କବିତା ପ୍ରତି ଉତ୍ସୁକତା ଏବଂ ଆଗ୍ରହ ପ୍ରବାସିନୀଙ୍କୁ ସୁଦୂର ବରଗଡ଼ରୁ ଆଣି ଆସିଛି,ଏଥିରୁ କବିତା ପ୍ରତି ତାଙ୍କର ଭଲପାଇବା ନିଶ୍ଚିତ ରହିଛି ଏବଂ ଏହି ଆଗ୍ରହ ତାଙ୍କୁ ବହୁତ ଆଗକୁ ନେବ କହି ନିଜର ଆଶୀର୍ବଚନ ପ୍ରଦାନ କରିଥିଲେ ବର୍ଷିୟାନ୍ ଔପନ୍ୟାସିକ ଶ୍ରୀଯୁକ୍ତ ଶାନ୍ତନୁ ଆଚାର୍ଯ୍ୟ । ସମସ୍ତଙ୍କ ଉପସ୍ଥିତି ପାଇଁ କବୟିତ୍ରୀ ପ୍ରବାସିନୀ ହୋତା କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *