ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ବିରଳ ସୁମାତ୍ରାନ୍ ଓରାଙ୍ଗଉଟାନ ଶାବକ

ଭୁବନେଶ୍ୱର: ଭାରତରୁ ଇଣ୍ଡୋନେସିଆ ଫେରିଲା ଓରାଙ୍ଗଉଟାନ ଶାବକ । ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଏକ ବିରଳ ସୁମାତ୍ରାନ୍ ଓରାଙ୍ଗୁଟାନ୍ ଶାବକ । ୨୦୨୪ ନଭେମ୍ବରରେ ଭାରତରୁ ଉଦ୍ଧାର ହୋଇଥିବା ବନମଣିଷ ଶାବକକୁ ଇଣ୍ଡୋନେସିଆ ପଠାଯାଇଛି । ଭାରତ ଓ ଇଣ୍ଡୋନେସିଆର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ CITES କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଛି ।

ଗୁଜରାଟରୁ ପଠାଯାଇଥିବା ଏହି ଓରାଙ୍ଗୁଟାନ୍ ଶାବକ ଇଣ୍ଡୋନେସିଆର ମେଦାନସ୍ଥିତ କୁଆଲାନାମୁ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ମେଦାନସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦ୍ଧାର ପରଠାରୁ ଶାବକର ଯତ୍ନ ନେଉଥିଲେ ଭାରତୀୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ । ତାକୁ ଆବଶ୍ୟକ ଚିକିତ୍ସା, ଖାଦ୍ୟ ଏବଂ ଉପଯୁକ୍ତ ପରିବେଶ ଯୋଗାଇ ଦିଆଯାଇଥିଲା । ଶାବକର ଦେଖାଶୁଣା ଓ ରକ୍ଷଣାବେକ୍ଷଣ ବାବଦରେ ହୋଇଥିବା ସମସ୍ତ ପୂର୍ବ ଖର୍ଚ୍ଚକୁ ଭାରତ ସରକାର ଛାଡ଼ କରିଦେଇଛନ୍ତି ।

ଏପଟେ ଓଡ଼ିଶାର ନନ୍ଦନକାନନରେ ଥିବା ୫ଟି ଓରାଙ୍ଗୁଟାନ୍ ଶାବକଙ୍କୁ ନେଇ ମଧ୍ୟ ବଡ଼ ଖବର ଆସିଛି । ୨୦୨୬ ସେପ୍ଟେମ୍ବରରେ ଓଡ଼ିଶାରୁ ଉଦ୍ଧାର ହୋଇଥିବା ଏହି ୫ ଶାବକଙ୍କୁ ମଧ୍ୟ ଇଣ୍ଡୋନେସିଆ ପଠାଇବା ପାଇଁ ପ୍ରୟାସ ଚାଲିଛି । ତେବେ ପ୍ରଥମେ ସେମାନଙ୍କ ପ୍ରଜାତି ଓ ମୂଳ ଉତ୍ପତ୍ତିସ୍ଥଳ ଚିହ୍ନଟ କରାଯିବ । ଏହାପରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହେଲେ ସେମାନଙ୍କୁ ଫେରାଇବା ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଏହି ୫ଟି ଶାବକ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି। ସେମାନଙ୍କୁ ଆବଶ୍ୟକ ପଶୁଚିକିତ୍ସା ଓ ସ୍ୱତନ୍ତ୍ର ଯତ୍ନ ଯୋଗାଇ ଦିଆଯାଉଛି ।

ଆସନ୍ତା ନଭେମ୍ବର ୨୦୨୬ରେ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କ ଏକ ଦଳ ଭାରତ ଗସ୍ତରେ ଆସିବା ପାଇଁ ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଛି । ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣ ନିୟନ୍ତ୍ରଣ ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *