ମୋଦୀଙ୍କ ସହ ଆଜି ବାଲେନ୍ଦ୍ର ଶାହଙ୍କ ଆଲୋଚନା, ବାଣିଜ୍ୟରୁ ସୀମା ବିବାଦ ଯାଏଁ ହେବ ଚର୍ଚ୍ଚା
ନୂଆଦିଲ୍ଲୀ: ଆଜି ମୋଦୀ-ବାଲେନ୍ଦ୍ର ଶାହ ଆଲୋଚନା । ଭାରତ-ନେପାଳ ସମ୍ପର୍କ ଉପରେ ନଜର । ନେପାଳ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ । ବାଣିଜ୍ୟ, ଶକ୍ତି, ସୀମା ସଂଯୋଗ ଓ ବିକାଶମୂଳକ ସହଯୋଗ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆଜି ଭାରତ ଓ ନେପାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ମଧ୍ୟରେ ନୂଆଦିଲ୍ଲୀରେ ହେବ ଉଚ୍ଚସ୍ତରୀୟ ବୈଠକ । ଦୁଇଦିନିଆ ଭାରତ ଗସ୍ତରେ ଗତକାଲି ଦିଲ୍ଲୀରେ ପହଞ୍ଚିଥିବା ଶାହ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୁଇ ଦେଶର ସମ୍ପର୍କ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।
ମାର୍ଚ୍ଚ ୨୦୨୬ରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ବାଲେନ୍ଦ୍ର ଶାହଙ୍କ ପ୍ରଥମ ଭାରତ ଗସ୍ତ। ଏଥିସହ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଭାରତ ଆସିଥିବା ଶାହଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ, ବିଦେଶମନ୍ତ୍ରୀ ଶିଶିର ଖନାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଆଜିର ଆଲୋଚନାରେ ବାଣିଜ୍ୟ, ପୁଞ୍ଜିନିବେଶ, ଜଳବିଦ୍ୟୁତ୍, ରେଳ ସଂଯୋଗ, ସଡ଼କ ଓ ଭିତ୍ତିଭୂମି ବିକାଶ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।
ବିଶେଷକରି ନେପାଳରୁ ଭାରତକୁ ବିଦ୍ୟୁତ୍ ରପ୍ତାନି ବୃଦ୍ଧି, ସୀମାପାର ରେଳ ଯୋଗାଯୋଗର ସମ୍ପ୍ରସାରଣ ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ। ଭାରତ ଓ ନେପାଳ ମଧ୍ୟରେ ପ୍ରସ୍ତାବିତ ରକ୍ସୌଲ-କାଠମାଣ୍ଡୁ ରେଳ ପ୍ରକଳ୍ପ ଏବଂ ଅଯୋଧ୍ୟା-ଜନକପୁର ରେଳ ସଂଯୋଗ ମଧ୍ୟ ଚର୍ଚ୍ଚାରେ ରହିଛି । ଦୁଇ ପ୍ରଧାନମନ୍ତ୍ରୀ ଶକ୍ତି ଓ ଯୋଗାଯୋଗ କ୍ଷେତ୍ରରେ କେତେକ ପ୍ରକଳ୍ପର ମିଳିତ ଉଦ୍ ଘାଟନ କରିପାରନ୍ତି ।
ଅନ୍ୟପଟେ ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ପରବର୍ତ୍ତୀ ପୁନର୍ନିର୍ମାଣ ପାଇଁ ଭାରତର ସହାୟତା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ। ନେପାଳ ପକ୍ଷରୁ ପ୍ରାୟ ୨ ବିଲିୟନ୍ ଆମେରିକୀୟ ଡଲାରର ଆର୍ଥିକ ସହାୟତା ପ୍ୟାକେଜ୍ ପ୍ରସ୍ତାବ ଦିଆଯାଇଥିବା ଖବର ରହିଛି । ଏହି ପ୍ରସ୍ତାବରେ ଋଣ, ଅନୁଦାନ ଓ ପୁନର୍ନିର୍ମାଣ ସହାୟତା ସାମିଲ ରହିଛି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଏହାଛଡ଼ା ନେପାଳକୁ ଅତିରିକ୍ତ ବିମାନ ଚଳାଚଳ ମାର୍ଗ ପ୍ରଦାନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇପାରେ ।
ଦୁଇ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ବିନିମୟ ହେବାର ସମ୍ଭାବନା ରହିଛି । ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନ ଧରି ଘନିଷ୍ଠ ସାଂସ୍କୃତିକ, ଧାର୍ମିକ ଓ ଆର୍ଥିକ ସମ୍ପର୍କ ରହିଛି । ତେବେ କାଳାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ପୁରୁଣା ସୀମା ବିବାଦ ମଧ୍ୟ ରହିଛି । ଏହି ପ୍ରସଙ୍ଗରେ ଆଜିର ଆଲୋଚନାରୁ କୌଣସି ଅଗ୍ରଗତି ହେଉଛି କି ନାହିଁ, ତାହା ଉପରେ ମଧ୍ୟ ନଜର ରହିବ । ଆଜିର କାର୍ଯ୍ୟକ୍ରମରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ବୈଠକ ସହ ମିଳିତ ସାମ୍ବାଦିକ ସମ୍ମିଳନୀର ଯୋଜନା ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ଦଳଙ୍କ ସମ୍ମାନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ । ନେପାଳରେ ନୂଆ ସରକାର ଗଠନ ପରେ ଦୁଇ ଦେଶର ନେତୃତ୍ୱ ମଧ୍ୟରେ ଏହା ପ୍ରଥମ ବଡ଼ ଦ୍ୱିପାକ୍ଷିକ ଆଲୋଚନା । ତେଣୁ ମୋଦୀ-ଶାହ ବୈଠକରେ କେଉଁ କେଉଁ ପ୍ରସଙ୍ଗରେ ସହମତି ହେଉଛି ଏବଂ ଭାରତ-ନେପାଳ ସମ୍ପର୍କକୁ ଆଗକୁ ନେବା ପାଇଁ କି ପଦକ୍ଷେପ ଘୋଷଣା କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
