ରାତି ଅଧରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଏବଂ ବନ୍ୟା ଯୋଗୁ ୪୧ ଲୋକଙ୍କ ମୃତ୍ୟୁ, ୧୦ ହଜାର ସ୍ଥାନାନ୍ତର

ଇଣ୍ଡୋନେସିଆର ପୂର୍ବ ପ୍ରାନ୍ତରେ  ହୋଇଥିବା ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଥି ପାଇଁ ଏବେ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରକୃତିର ତାଣ୍ଡବରେ ହଜାର ହଜାର ଲୋକ ବେଘର ହୋଇଥିବା ବେଳେ ୨୭ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନୁସା ତୋଙ୍ଗରା ପ୍ରାନ୍ତର ଏଡୋନାରା ଦ୍ବିପରେ ଥିବା ଲମେନେଲେ ଗାଁରେ ଅଧାରୁ ଅଧିକ ଘର ଉପରେ ମାଟି ମାଡ଼ିଯାଇଛି। ଅଧ ରାତିରେ ବିପଦ ମାଡ଼ି ଆସିବାରୁ ଲୋକେ କିଛି ବୁଝିବା ପୂର୍ବରୁ ବହୁ ଘର ପାଣି ଭାସିଯାଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର  ଦ୍ବିପ୍ରହର ବେଳକୁ ୩୫ ମୃତଦେହ ଉଦ୍ଧାର ହୋଇଥିଲା।  ପାହାଡ଼ ଧସି ଆସିଥିବାରୁ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଅନ୍ୟାନ୍ୟ ସ୍ଥାନରେ ବନ୍ୟା ପାଣି ମାଡ଼ି ଆସିଥିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି। ଆହୁରି ମୃତକଙ୍କ ସଂଖ୍ୟ ବଢ଼ିପାରେ ବୋଲି କୁହାଯାଉଛି। ଗାଁର ୪୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ୍ୟା ପାଣି ଫ୍ଲୋରେସ୍‌ ଜେଲ୍‌ରେ ପଶିଥିବା ବେଳେ ଗୁରୁତର ହୋଇଥିବା ୪ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ୟା ବିପନ୍ନଙ୍କୁ ସେନା ଶିବିରରେ ଥଇଥାନ କରାଯାଉଛି। ପାଖାପାଖି ୧୦ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଥିବା ନେଇ ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି।

Spread the love