ଲଦାଖରେ ସୋନମ ୱାଙ୍ଗଚୁକଙ୍କ ସ୍କୁଲକୁ ଝଟକା, ଡେଜର୍ଟ ଫ୍ଲାୱାର ସ୍କୁଲର ସମସ୍ତ କାର୍ଯ୍ୟକଳାପ ବନ୍ଦ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଲଦାଖ ପ୍ରଶାସନର ବଡ଼ ପଦକ୍ଷେପ । ସୋନମ ୱାଙ୍ଗଚୁକଙ୍କ ପ୍ରତିଷ୍ଠାନ HIAL ଅଧୀନରେ ଥିବା ଡେଜର୍ଟ ଫ୍ଲାୱାର ସ୍କୁଲର ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ନୋଟିସ୍ ଜାରି କରିଛି ପ୍ରଶାସନ । ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍କୁଲର ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ।
ସୂଚନା ଅନୁସାରେ, ନଭେମ୍ବର ୧ ତାରିଖରେ ଲେହ ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି । HIALର ସହ-ପ୍ରତିଷ୍ଠାତା ତଥା ସିଇଓ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କୁ ଏହି ନୋଟିସ୍ ପଠାଯାଇଛି । ବିନା ଆବଶ୍ୟକ ଅନୁମତିରେ ଫ୍ୟାଙ୍ଗ ସ୍ଥିତ ଡେଜର୍ଟ ଫ୍ଲାୱାର ସ୍କୁଲରେ କ୍ଲାସ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଆରମ୍ଭ ହୋଇଥିବା ନେଇ ପ୍ରଶାସନ ଅଭିଯୋଗ ପାଇଥିଲା । ଅନ୍ୟପଟେ HIALକୁ ଆବଣ୍ଟିତ ଜମିକୁ ନେଇ ବିବାଦ ଲାଗି ରହିଛି । ଅନୁଷ୍ଠାନକୁ ଆବଣ୍ଟିତ ୧୦୭୬ କନାଲ ଏବଂ ଗୋଟିଏ ମର୍ଲା ଜମିର ଆବଣ୍ଟନକୁ ପ୍ରଶାସନ ରଦ୍ଦ କରିଥିଲା। ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଛି । ମାମଲାର ବିଚାର ଚାଲିଥିବାରୁ ଯଥାସ୍ଥିତି ବଜାୟ ରଖିବା ସହ କୌଣସି ନୂଆ କାର୍ଯ୍ୟକଳାପ ଆରମ୍ଭ ନକରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ସେପଟେ ଗତ ଜୁଲାଇ ମାସରେ ସୋନମ ୱାଙ୍ଗଚୁକ୍ ଦିଲ୍ଲୀର ଜନ୍ତରମନ୍ତରଠାରେ ଆୟୋଜିତ ଏକ ପ୍ରତିବାଦରେ ସାମିଲ ହୋଇଥିଲେ। NEET-UG ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତାକୁ ବିରୋଧ କରି ସେ ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଆରମ୍ଭ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଦାୟିତ୍ୱ ନିର୍ଦ୍ଧାରଣ ଦାବି କରିଥିଲେ । ତେବେ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା ପରେ ୨୬ ଦିନରେ ସେ ଅନଶନ ଶେଷ କରିଥିଲେ । ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ଉପରେ ଡେଜର୍ଟ ଫ୍ଲାୱାର ସ୍କୁଲର ଭବିଷ୍ୟତ ନିର୍ଭର କରୁଥିବାରୁ ଏହି ମାମଲା ଉପରେ ସମସ୍ତଙ୍କ ନଜର ରହିଛି ।
