ଶ୍ରୀମନ୍ଦିର ଚାରିପଟେ ରହିଛି ମୂଲ୍ୟବାନ ଧାତୁ, ଏମାର ମଠ ପାଶ୍ୱର୍ ଅଞ୍ଚଳରେ ସର୍ବାଧିକ ଭଗ୍ନାବଶେଷ

ଶ୍ରୀମନ୍ଦିର ଚୌହଦୀରେ ରହିଛି ମୂଲ୍ୟବାନ ଧାତୁ। ଏମାର ମଠ ପାର୍ଶ୍ୱ ଅଞ୍ଚଳରେ ରହିଛି ସର୍ବାଧିକ ଭଗ୍ନାବଶେଷ । ରଥଖଳା ସିଂହଦ୍ୱାର ପାର୍ଶ୍ୱ ମାଟି ତଳେ ରହିଛି ଅନେକ କୀର୍ତ୍ତିରାଜି। ମାଟି ତଳେ ରହିଛି ଦୁର୍ଲଭ ଧାତବ ଦ୍ରବ୍ୟ ଓ ଅକୁହା ଐତିହ୍ୟ। ସଂରକ୍ଷଣ କରି ଐତିହ୍ୟ ଉନ୍ମୋଚନ କରିବାକୁ ଉଠିଲାଣି ଦାବି। ଜିପିଆର୍ ସର୍ଭେରୁ ଆସୁଛି ନୂଆ ନୂଆ ତଥ୍ୟ।ଭୂମିର ୦.୬ ମିଟରରୁ ୪.୮ ମିଟର ମଧ୍ୟରେ ରହିଛି ଐତିହାସିକ ଭଗ୍ନାବଶେଷ। ୦.୮ ମିଟରରୁ ୧.୬ ମିଟର ମଧ୍ୟରେ ରହିଛି ଦୁର୍ଲଭ ଧାତୁ। ପୁଣି ସିଂହଦ୍ୱାର ଭୂମି ତଳେ ୦.୭ରୁ ୧.୮ ମିଟର ତଳେ ୩୭ଟି ଭଗ୍ନାବଶେଷର ଧାତୁ ସଦୃଶ ସାମଗ୍ରୀ ରହିଛି। ରଥଖଳା ଅଞ୍ଚଳରେ ୦.୬ରୁ ୨.୫ ମିଟର ତଳେ ଧାତବ ସାମଗ୍ରୀ ରହିଛି। ଖେଳ ପଡ଼ିଆ ଭଳି ଜାଗା ରହିବା ସହ ଶ୍ରୀମନ୍ଦିର ଉତ୍ତର ପୂର୍ବ ଅଞ୍ଚଳରେ ମାଟି ତଳେ ପ୍ରାଚୀର, ସୁଡ଼ଙ୍ଗ, ଜଳ ନିଷ୍କାସନ ପଥ ରହିଛି। ସମୁଦ୍ର ଠାରୁ ଶ୍ରୀମନ୍ଦିର ସୁଡ଼ଙ୍ଗ ରହିଥିବା ବେଳେ ଇଂରାଜୀ ‘ଟି’ ସଦୃଶ ଅବଶେଷ ରହିଛି। ଗାନ୍ଧୀନଗର ଆଇଆଇଟି ଟିମ୍ କରିଥିବା ଜିପିଆରଏସ୍‌ ସର୍ଭେରେ ଏଭଳି ତଥ୍ୟ ମିଳିଛି।
ଶ୍ରୀକ୍ଷେତ୍ରରେ ଇନ୍ଦ୍ରଦ୍ୟୁମ୍ନଙ୍କ କାଳରୁ ରହିଛି ପ୍ରମାଣ। ୭ଟି ମନ୍ଦିର ଭାଙ୍ଗିବା ପରେ ଅଷ୍ଟମ ମନ୍ଦିର ଭାବରେ ଶ୍ରୀମନ୍ଦିର ରହିଛି। ଚୋଡ଼ଗଙ୍ଗ ଦେବଙ୍କ କୋର୍ଟର ପ୍ରମାଣ ରହିଛି ବଡ଼ୁ ମହାପାତ୍ର ଜାଗାରେ। ଚୋଡ଼ଗଙ୍ଗ ଦେବଙ୍କ ପ୍ରତିମୂର୍ତ୍ତି, ପୋଖରୀ ମଧ୍ୟ ରହିଛି। ସେହିପରି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ପ୍ରାୟ ୧୫ମିଟର ତଳେ ରହିଥିବା ବେଳେ ଅନେକ ଐତିହ୍ୟ କ୍ଷେତ୍ର ମାଟି ତଳେ ରହିଥିବାର ଆଶଙ୍କା କରୁଛନ୍ତି ଐତିହ୍ୟ ବିଶାରଦ। ବାଲିସ୍ତୁପ ଉପରେ ଶ୍ରୀମନ୍ଦିର ରହିଥିବାରୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ତର୍ଜମା କରିବା ସହ କୀର୍ତ୍ତିରାଜି ସଂରକ୍ଷଣ କରିବାର ଆବଶ୍ୟକତା ରହିଛି।

Spread the love