ସଂଘର୍ଷ କରି ହାରିଲା ଦିଲ୍ଲୀ

ଚଳିତ ଆଇପିଏଲ୍‌ରେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ପ୍ରଥମ ମୁକାବିଲା‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ମଙ୍ଗଳବାର ନିଜ ଦ୍ବିତୀୟ ଲଢ଼େଇରେ ଦିଲ୍ଲୀ କ୍ୟାପିଟାଲ୍ସକୁ 6 ୱିକେଟ୍‌ରେ ପରାସ୍ତ କରିଛି। ଦିଲ୍ଲୀ 148 ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଚେନ୍ନାଇ 19.4 ଓଭରରେ 4 ୱିକେଟ୍ ହରାଇ ହାସଲ କରି ନେଇଥିଲା।148 ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ମାତ୍ର 21 ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ (୫)ଙ୍କୁ ହରାଇଥିଲା। ହେଲେ ସେନ୍ ୱାଟସନଙ୍କ ଦ୍ରୁତ 44 (26 ବଲ୍, 4 ଚୌକା, 3 ଛକା) ଓ ସୁରେଶ ରାଇନାଙ୍କ 30 (16 ବଲ୍, 4 ଚୌକା, 1 ଛକା) ରନ୍ ବଳରେ ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲା। ଏହା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (32* ରନ୍, 34 ବଲ୍, 2 ଚୌକା, 1 ଛକା) ଓ କେଦାର ଯାଦବ (27 ରନ୍, 33 ବଲ୍, 2 ଚୌକା)ଙ୍କ 48 ରନ୍‌ର ଭାଗୀଦାରି ବଳରେ ସହଜ ବିଜୟ ହାସଲ କରିଥିଲା। କାଗିସୋ ରବାଦାଙ୍କୁ ଚୌକା ମାରି ଡ୍ବେନ୍ ବ୍ରାଭୋ ଚେନ୍ନାଇର ଲଗାତାର ଦ୍ବିତୀୟ ବିଜୟରେ ମୁଣ୍ଡି ମାରିଥିଲେ। ସେଥିପାଇଁ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (51 ରନ୍, 47 ବଲ୍, 7 ଚୌକା)ଙ୍କ ଲଢ଼ୁଆ ଅର୍ଧଶତକ ବେକାର ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଚଳିତ ଆଇପିଏଲରେ ପ୍ରଥମ ପରାଜୟ ବରଣ କରିଥିଲା। ୱାଟସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ମଙ୍ଗଳବାର ଦିଲ୍ଲୀ ଟସ୍ ଜିତି ବ୍ୟାଟିଂ କରିଥିଲା। ଉଦୀୟମାନ ତାରକା ପୃଥ୍ବୀ ସ’ (24) ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ବଡ଼ ସ୍କୋର୍‌ କରିପାରିନଥିଲେ। ଫଳରେ ଦିଲ୍ଲୀ ମାତ୍ର 36 ରନ୍‌ରେ ତାଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା। ଅଧିନାୟକ ଶ୍ରେୟସ୍ ଆୟର ମଧ୍ୟ ମାତ୍ର 18 ରନ୍‌ରେ ଅଟକି ଯାଇଥିଲେ। ଧାୱନ କିନ୍ତୁ ନିଜ ଖେଳ ଜାରି ରଖିଥିଲେ। ଏହା ପରେ ସମସ୍ତଙ୍କ ନଜର ଦିଲ୍ଲୀର ମୁମ୍ବାଇ ବିଜୟ ନାୟକ ଋଷବ ପନ୍ତ (25 ରନ୍, 13 ବଲ୍, 2 ଚୌକା, 1 ଛକା)ଙ୍କ ଉପରେ ଥିଲା। ସେ ଅବଶ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ବ୍ରାଭୋଙ୍କ ଚତୁର ବୋଲିଂ ଆଗରେ ହାର ମାନିଥିଲେ। ବ୍ରାଭୋ ତାଙ୍କୁ ବିପଜ୍ଜନକ ହେବା ପୂର୍ବରୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଷୋଡ଼ଶ ଓଭରରେ ପନ୍ତ ଓ କଲିନ ଇଙ୍ଗ୍ରାମ (2)ଙ୍କ ୱିକେଟ୍ ନେଇ ବ୍ର‌ାଭୋ ବି ଦିଲ୍ଲୀ ରନ୍ ସଂଗ୍ରହ ହାରକୁ ଯଥେଷ୍ଟ କମାଇ ଦେଇଥିଲେ। ସେହିଭଳି କେ‌ମୋ ପଲଙ୍କୁ ରବୀନ୍ଦ୍ର ଜାଦେଜା ଖାତା ଖୋଲିବାକୁ ଦେଇ ନଥିଲେ। ଧାୱନ ରନ୍ ହାର ବଢ଼ାଇବା ଲୋଭରେ ବ୍ରାଭୋଙ୍କ ତୃତୀୟ ଶିକାର ହୋଇଥିଲେ। 8 ବଲ୍ ଭିତରେ ହିଁ ଦିଲ୍ଲୀ ୪ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲା। ଅବିଭାଜିତ ସପ୍ତମ ୱିକେଟ୍‌ରେ ଅକ୍ଷର ପଟେଲ (9) ଓ ରାହୁଲ ତିୱାତିଆ (11) 20 ରନ୍ ଯୋଡ଼ିବା ପରେ ଦିଲ୍ଲୀ ସ୍କୋର ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ‌ତେବେ ଶେଷ 17 ବଲ୍‌ରୁ ଏହି ଦଳ ମାତ୍ର 20 ରନ୍ ଅମଳ କରିଥିଲା। ଚେନ୍ନାଇ ପକ୍ଷରୁ ବ୍ରାଭୋ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ। ଦୀପକ ଚହର, ରବୀନ୍ଦ୍ର ଜା‌ଦେଜା ଓ ଇମ୍ରାନ ତାହିରଙ୍କୁ ଗ‌ୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ 147/6 (ଶିଖର ଧାୱନ 51, ଋଷବ ପନ୍ତ 25, ପୃଥ୍ବୀ ସ’ 24, ଶ୍ରେୟସ୍ ଆୟର 18, ଡ୍ବେନ୍ ବ୍ରାଭୋ 3/33, ଇମ୍ରାନ ତାହିର 1/20, ଦୀପକ ଚହର 1/20)। ଚେନ୍ନାଇ ସୁପରକିଙ୍ଗ୍ସ 19.4 ଓଭରରେ 150/4(ସେନ୍ ୱାଟସନ୍ 44, ମହେନ୍ଦ୍ର ସିଂହ ଧୋନି 32, ସୁରେଶ ରାଇନା 30, କେଦାର ଯାଦବ 27, ଅମିତ ମିଶ୍ରା 2/35, କାଗିସୋ ରବାଦା 1/26)।

Spread the love