ସବୁଠି ପାର୍ବଣର ମାହୋଲ, ସମସ୍ତ ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା, ମଣ୍ଡପରେ ସପ୍ତମୀ ପୂଜା
ପାର୍ବଣର ମାହୋଲରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ। ମା’ଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ମନ୍ଦିର ମାନଙ୍କରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଘଣ୍ଟଘଣ୍ଟା, ହୁଳହୁଳିରେ ଭକ୍ତିମୟ ହୋଇଉଠିଛି ପରିବେଶ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, କାକଟପୁରରେ ମା’ ମଙ୍ଗଳା, ବାଙ୍କୀରେ ମା’ ଚର୍ଚ୍ଚିକା ଏବଂ ଜଗତସିଂହପୁର ଶାରଳା ମନ୍ଦିରରେ ମହାଷ୍ଟମୀ ଅବସରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ମହାମାୟାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର। ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା। ଷୋଡ଼ଶ ଉପଚାର ରୀତିନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେଉଛି। ଘଣ୍ଟ ଘଣ୍ଟା, କାହାଳି, ହୁଳହୁଳିରେ କମ୍ପୁଛି ପୂରା ପରିବେଶ। କଟକ ବାଙ୍କୀର ଆରାଧ୍ୟା ଦେବୀ ମାଆ ଚର୍ଚ୍ଚିକା ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି। ମହାଗୌରୀ ବେଶରେ ବିଭୂଷିତା ହୋଇଛନ୍ତି ଝଙ୍କଡ଼ ବାସିନୀ ମା ଶାରଳା। ସେହିପରି କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଦେଶର ୫୧ ଶକ୍ତିପୀଠ ମଧ୍ୟରୁ ପ୍ରମୁଖ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବେଶ ଆଡ଼ମ୍ବର ସହ ଅନୁଷ୍ଠିତ ହେଉଛି ମହାଷ୍ଟମୀ ପୂଜା। ସକାଳୁ ପବିତ୍ର ବୈତରଣୀ ଜଳରେ ମହାସ୍ନାନ ପରେ ମା’ଙ୍କୁ ନବବଧୂ ବେଶରେ ସୁସଜ୍ଜିତ କରାଯାଇଛି। ନବରାତ୍ର ଅବସରରେ ଗର୍ଭଗୃହରେ ପ୍ରବେଶ କରି ମା’ଙ୍କ ମୁଖ ଦର୍ଶନ ଓ ଚରଣ ସ୍ପର୍ଶର କରି ଆଶିଷ ନେବାକୁ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମହାଷ୍ଟମୀରେ ରାଜ୍ୟର ସମସ୍ତ ଶକ୍ତିପୀଠରେ ଭିଡ଼ ପରିଲିକ୍ଷିତ ହୋଇଥିବା ବେଳେ ସ୍ଥାନୀୟ ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ଥକୁ କଡ଼ାକଡ଼ି କରାଯାଇଛି।
