ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ସତର୍କ ସୂଚନା, ୧୭ ରୁ ୧୯ ତାରିଖ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ
ଭୁବନେଶ୍ୱର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ବଡ଼ ସତର୍କ ସୂଚନା। ଆସନ୍ତା ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ପବନର ବେଗ ବଢ଼ିବା ସହ ଢେଉ ଅଶାନ୍ତ ହେବାର ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଦକ୍ଷିଣ ଓଡ଼ିଶା ଉପକୂଳରେ ୭୦ କିମି ବେଗରେ ବହିପାରେ ପବନ ।
ସବୁ ମାଛଧରା ଡଙ୍ଗାକୁ କୂଳକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ରହିଛି । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ଏନେଇ ମତ୍ସ୍ୟ ବିଭାଗ ସହ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ସମୁଦ୍ରରେ ମାଛ ଧରିବା ଉପରେ ସତର୍କତା ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୭ ନଭେମ୍ବର ସକାଳଠାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ରରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ରହିଛି। ୧୮ ଓ ୧୯ ନଭେମ୍ବରରେ ପବନର ବେଗ ଆହୁରି ବଢ଼ିପାରେ। ଏହି ଦୁଇଦିନ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ।
ଫଳରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଭିତରେ ଥିବା ସମସ୍ତ ମାଛଧରା ଡଙ୍ଗା ଓ ଟ୍ରଲରକୁ ତୁରନ୍ତ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିବାକୁ କୁହାଯାଇଛି।
ଏହାସହ ମତ୍ସ୍ୟଜୀବୀଙ୍କ ନିକଟରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି। ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିଥିବା ନେଇ ଜିଲ୍ଲାପାଳମାନଙ୍କୁ ପ୍ରମାଣପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଗାମୀ ଦିନରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ବୃଦ୍ଧି ପାଇବା ସହ ମାଛଧରା କାର୍ଯ୍ୟ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ନଭେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ଏବଂ ପ୍ରଶାସନର ସତର୍କ ସୂଚନା ପାଳନ କରିବାକୁ କୁହାଯାଇଛି।
