ହଦଗଡ ଡ୍ୟାମରୁ ପାଣି ଛାଡିବା ପାଇଁ ଗଣ ଧାରଣା

ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଡାଳୁଅ ଧାନ ଚାଷ । ପାଣି ପାଇଁ ଏବେ ଚାଷୀ ଡହଳବିକଳ ହେଉଛନ୍ତି । ଲୁଣା ପାଣିରୁ ଚାଷକୁ ରକ୍ଷା କରିବା ପାଇଁ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଛନ୍ତି । ଖରାଟିଆ ଚାଷ ପାଇଁ ଏହି ଚାଷୀମାନେ ଡାଳୁଅ ଧାନର ଚାଷ କରିଥାନ୍ତି । ସାଳନ୍ଦି ନଦୀର ପାଣି ଚାଷ ଉପଯୋଗୀ ହୋଇଥାଏ । କିନ୍ତୁ ଏଥର ନଦୀର ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ପାଣି ଅଟକି ରହିଥିବାରୁ ଖରାଟିଆ ଚାଷ ହୋଇପାରୁ ନାହିଁ ।

ଏମିତି ସମୟରେ ଚାଷ ଜମିକୁ ଏବେ ଲୁଣା ପାଣି ମାଡୁଛି ଓ ଚାଷ ନଷ୍ଟ ହେବାକୁ ବସିଲାଣି । ଏପରି ସ୍ଥିତିରେ ଚାଷ ଜମିକୁ ପାଣି ଯୋଗାଇଦେବା ସହ ସାଳନ୍ଦି ନଦୀରେ ଅବରୋଧ ହଟାଇବା ଓ ଜବରଦଖଲ ଉଠାଇବା ଦାବିରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧରଣା ଦେଇଛନ୍ତି । ଚାଷ ପାଇଁ ହଦଗଡ ଡ୍ୟାମରୁ ପାଣି ଯୋଗାଇବା ପାଇଁ ମଧ୍ୟ ସେମାନେ ଦାବି କରିଥିବା ଜଣାପଡ଼ିଛି ।

Spread the love