୧୦ ବର୍ଷରେ ଖଣିଜ ପାଣ୍ଠିରେ ହେରଫେର, ୨୦୧୫-୨୪ ମଧ୍ୟରେ ଡିଏମଏଫରେ ବଡ଼ ଧରଣର କ୍ଷତି ଧରିଲେ ଏଜି
ଭୁବନେଶ୍ୱର : ୨୦୧୫ରୁ ୨୪ ମସିହା ମଧ୍ୟରେ ଡିଏମଏଫରେ ବଡ଼ ଧରଣର କ୍ଷତି ଧରିଲେ ଏଜି । ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ଧାରିତ ଡିଏମଏଫ ଅଂଶଧନ ହାରର ଭୁଲ ପ୍ରୟୋଗ, ଚୂଡାନ୍ତ ରାୟଲିଟି ଆକଳନ ପରେ ଅଂଶଧନର ପୁନଃ ଆକଳନ ନକରିବା ଏବଂ ବିଳମ୍ବିତ ଦେୟ ଉପରେ ସୁଧ ଆଦାୟ ନ କରିବାରୁ ଡିଏମଏଫ ସଂଗ୍ରହରେ 73 କୋଟି 71 ଲକ୍ଷ ଟଙ୍କାର ବଡ଼ ଧରଣର କ୍ଷତିଥିବା ଏଜି ଦର୍ଶାଇଛନ୍ତି। 2015-16 ରୁ 23-24 ଅବଧି ମଧ୍ୟରେ ଡିଏମଏଫ ଅଂଶଧନ ବାବଦରେ 20, 795.51 କୋଟି ଟଙ୍କା ଓ ସୁଧ ବାବଦରେ 1,772.66 କୋଟି ଟଙ୍କା ପାଇଥିବା ସତ୍ୱେ ଡ଼ିଏମଏଫ ପ୍ରଭାବିତ ଲୋକଙ୍କୁ ସ୍ଥାୟୀ ଜୀବିକା ଯୋଗାଇବାରେ ବିଫଳ ହୋଇଥିବା କୁହାଯାଇଛି ।
ଏହି ସମୟରେ ଡିଏମଏଫ ଅଂଶଧନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ‘ପରିବେଶ ସଂରକ୍ଷଣ’ ଓ ‘ଜୀବିକା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଆଦର୍ଶ ଗ୍ରାମୀଣ ଉଦ୍ୟାନ, ଗ୍ରାମ ଉଦ୍ୟାନ, ବନ ବାଟିକା, ଇକୋ-ରିଟ୍ରିଟ୍ କେନ୍ଦ୍ର’ ନିର୍ମାଣ ଭଳି 126 ଟି ପ୍ରକଳ୍ପ ପାଇଁ 51 କୋଟି 71 ଲକ୍ଷ ଟଙ୍କାର ଅଗ୍ରାହ୍ୟ ବ୍ୟୟ ହୋଇଥିଲା । ତେବେ ପ୍ରକଳ୍ପଗୁଡିକ ଅସମ୍ପୂର୍ଣ୍ଣ ତ ଥା ଅଚଳ ହୋଇ ପଡି ରହିଥିବା ଏଜି ଦର୍ଶାଇଛନ୍ତି। ତିନୋଟି ଅନୁଷ୍ଠାନକୁ ଡିଏମଏଫ୍ ପାଣ୍ଠି ରୁ 4.30 କୋଟି ଟଙ୍କା ପ୍ରଦାନ କରାଯାଇ ମେଡିକାଲ କୋଚିଂ ପାଇଁ ମନୋନୀତ 437 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ସତ୍ତ୍ବେ, ମାତ୍ର ଛଅ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିପାରିଥିଲେ।
ସେହିପରି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟରେ ୨୦୭ ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରୁ ୧୩୩ ପ୍ରକଳ୍ପ ଜଳ ଜୀବନ ମିଶନ ଅଧୀନରେ ଥିଲା। ଜୁନ୍ 2024 ସୁଦ୍ଧା ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ମାତ୍ର ଦୁଇଟି ସମ୍ପୂର୍ଣ୍ଣ ହୋଇପାରିଥିଲା ବୋଲି ଏଜି କହିଛନ୍ତି। ୨୦୨୪ ସୁଦ୍ଧା ସମସ୍ତ ପରିବାରକୁ ଜଳ ସଂଯୋଗ ଯୋଗାଇବାରେ ସରକାର ଅସମର୍ଥ ଥିବା କୁହାଯାଇଛି। ଏବେ ବି ରାଜ୍ୟର ୩୧ ପ୍ରତିଶତ ପରିବାର ପାନୀୟ ଜଳ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ନମୁନା ଯାଞ୍ଚ ହୋଇଥିବା ୫ ଜିଲ୍ଲାରୁ କନ୍ଧମାଳ ସର୍ବାଧିକ 69.65 ପ୍ରତିଶତ ଜଳ ଯୋଗାଣ ହୋଇଥିବା ବେଳେ ମାଲକାନଗିରି ରେ ସର୍ବନିମ୍ନ 11.20 ପ୍ରତିଶତ ରହିଛି।
ସେହିପରି ରାଜ୍ୟରେ 5T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ରେ ଅନିୟମିତତା ଦେଖିଛନ୍ତି ଏଜି। ବେସରକାରୀ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା। ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆସୁନଥିଲେ ମଧ୍ୟ ରୂପାନ୍ତରଣ ହୋଇଛି ବିଦ୍ୟାଳୟ। ଓସେପା ଓ ଜିଲ୍ଲା ମଧ୍ୟରେ ସମନ୍ବୟ ଅଭାବ ହେତୁ ଇ ବିଷୟବସ୍ତୁ ଦୁଇ ଥର ଲେଖା କିଣା ଯାଇ କୋଟି କୋଟି ଟଙ୍କା ଅନାବଶ୍ୟକ ବ୍ୟୟ କରାଯାଇଥିବା ଦେଖିଛନ୍ତି ଏଜି। ମୌଳିକ ସୁବିଧା ନଥିବାରୁ ରୂପାନ୍ତରିତ ଶ୍ରେଣୀଗୃହ ଓ ବିଜ୍ଞାନଗାର ଅକାମୀ ହୋଇ ପଡ଼ିଥିବା ଦେଖିଛନ୍ତି ଏଜି।
ବ୍ଲୁ ଇକୋନୋମି ତଥା ଉପକୂଳବର୍ତ୍ତୀ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ ପୂର୍ବ ସରକାର୍। ପ୍ରଶାସନିକ ଅନୁମୋଦନ, ଜମି ଅଧିଗ୍ରହଣ ଭଳି ବିଭିନ୍ନ କାରଣ ପାଇଁ 898 କୋଟି ଟଙ୍କା ପର୍ଯ୍ୟଟନ ପାଣ୍ଠିରେ ଜମା ହୋଇ ରହିଥିଲା। ଏପରିକି ଖର୍ଚ୍ଚ ନହେବା କାରଣରୁ 103 କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ଏହି ଟଙ୍କା ପାଞ୍ଚ ବର୍ଷ ଧରି ଓଟିଡିଶି ଆକାଉଣ୍ଟରେ ଜମା ହୋଇ ରହିଥିଲା। ସରକାର୍ ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ ସେଥିରୁ ଅଧିକାଂଶ ଅନାବଶ୍ୟକ ଥିବା ଧରିଛନ୍ତି ଏଜି।
