୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ – ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ, (ବିିକାଶ ଚନ୍ଦ୍ର ସାହୁ):   ଅନୁଗୁଳ ଥାନା ଅଞ୍ଚଳର ଜନୈକା ୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାନ୍ୟବର ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର ପୋକ୍ସ ଜଜ୍ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଗତ ୨/୯/୨୦୧୬ ଦିନ ଅନୁଗୁଳ ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜନୈକା ୪ ବର୍ଷର ଶିଶୁ କନ୍ୟା ଅପରାହ୍ନ ୩ଟା ସମୟରେ ଗାଁ ସ୍କୁଲ ପାଖରେ ଖେଳୁଥିଲା। ସେହି ସମୟରେ ସେହି ଗ୍ରାମର କିର୍ତ୍ତନ ସାହୁଙ୍କ ପୁଅ ସାରଥି ସାହୁ (୨୨) ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍କର୍ମ କରିଥିଲା। ଏହି ଘଟଣା ବିଷୟରେ ସମ୍ପୃକ୍ତ ଶିଶୁ କନ୍ୟା ଘରକୁ ଆସି କହିବାରୁ ଶିଶୁ କନ୍ୟାର ବାପା ଏ ନେଇ ସେତେବେଳେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଫଳରେ ପୋଲିସ ଦଫା ୩୭୬(୨) (ଆଇ) ସେକସନ ୪,୫.୬ ପୋକ୍ସ ଆକ୍ଟରେ ଅଭିଯୁକ୍ତ ସାରଥିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ବୁଧବାର ମାନ୍ୟବର ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର ପୋକ୍ସ ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଏହି କେସର ଶୁଣାଣି କରି ସାରଥିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଆଇନଜୀବି ସରୋଜ କୁମାର ପଟ୍ଟନାୟକ କେଶ ପରିଚାଳନା କରୁଥିଲେ। 

Spread the love