୧୭ ଫୁଟର ବିରଳ ଅଜଗର ଉଦ୍ଧାର

ପ୍ରଥମ ଥର ଲାଗି ବୈଜ୍ଞାନିକମାନେ ଗୋଟାଏ 17 ଫୁଟ୍‌ରୁ ଅଧିକ ଲମ୍ବ ମାଈ ଅଜଗରଟାଏ ଧରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରୁ ଧରାଯାଇଥିବା ଏହି ଅଜଗରଟିର ଓଜନ 63 କିଲୋ 500 ଗ୍ରାମ୍‌। ତା’ ପେଟରେ ରହିଛି 73ଟି ଅଣ୍ଡା। ବୈଜ୍ଞାନିକମାନେ କହିଛନ୍ତି ଯେ ଦକ୍ଷିଣ ଫ୍ଲୋରିଡାରେ ଅବସ୍ଥିତ ବିଗ୍‌ ସାଇପ୍ରେସ୍‌ ନେସ୍‌ନାଲ୍‌ ପ୍ରିଜର୍ଭରୁ ଏଡ଼େ ପ୍ରକାଣ୍ଡ ଅଜଗର ଧରାଯିବାରେ ଏଇଟା ପ୍ରଥମ ଘଟଣା। ପ୍ରକାଣ୍ଡ ସାଇପ୍ରେସ୍‌ ସାପକୁ ଧରିବା ନିମନ୍ତେ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିଥିଲେ।

ସେମାନେ ରେଡିଓ ଟ୍ରାନ୍‌ସ୍‌ମିଟର୍‌ ବ୍ୟବହାର କରି ଅଣ୍ଡିରା ସାପଙ୍କୁ ଠାବ କରିଥିଲେ ଏବଂ ତା’ପରେ ସେମାନେ ପ୍ରଜନନ ଲାଗି ଅଣ୍ଡିରା ସାପମାନେ ମାଈ ସାପଙ୍କୁ ଖୋଜୁଥିବା ସ୍ଥାନ ଠାବ କରିଥିଲେ। ଅଜଗର ଧରିବାକୁ ନୂତନ ଉପକରଣ, ତାଙ୍କ ଉପରେ ଗବେଷଣା କରିବା ଏବଂ ସେଠାରେ କିଭଳି ଅଜଗରମାନେ ବସବାସ କରୁଛନ୍ତି ତାହା ଉପରେ ଏହି ବୈଜ୍ଞାନିକ ଦଳ ଗବେଷଣା କରୁଛନ୍ତି। ‘ବିଗ୍‌ ସାଇପ୍ରେସ୍‌ ନେସ୍‌ନାଲ୍‌ ପ୍ରିଜର୍ଭ’ ଦକ୍ଷିଣ ଫ୍ଲୋରିଡ଼ା ଅନ୍ତର୍ଗତ ମିଆମିର ପଶ୍ଚିମଆଡ଼କୁ ଥିବା 729, 000 ଏକରବିଶିଷ୍ଟ ଦଳାଭୂଇଁ। ସେଠାରେ ପ୍ରାୟ 1 ଲକ୍ଷ ଅଜଗର ବାସ କରୁଛନ୍ତି ଏବଂ ସ୍ଥାନୀୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦର କାରଣ ହୋଇଛନ୍ତି। ସେଠାରୁ ଅଜଗରମାନଙ୍କୁ ହଟାଇ ତାଙ୍କର ସଂଖ୍ୟା ନିୟନ୍ତ୍ରଣ କରିବାକୁ ଫ୍ଲୋରିଡାରେ ଶିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଏ।

Spread the love