ରତ୍ନଭଣ୍ଡାର ଚାବି ନେଇ ପୁଣି ମୁହାଁମୁହିଁ ବିଜେପି-ବିଜେଡି, ନିର୍ବାଚନ କଥା ମନେପକାଇ ବିଜେଡି କଲା କଟାକ୍ଷ
ରତ୍ନଭଣ୍ଡାର ଚାବିକୁ ନେଇ ପୁଣି ମୁହାଁମୁହିଁ ବିଜେପି-ବିଜେଡି। ପୁଣି ତୁତୁମେଁମେଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ପୁଣି ଥରେ ଉଷ୍ମ ହୋଇଛି। ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ଶାଣିତ ବାକଯୁଦ୍ଧ। ସୋସିଆଲ ମିଡିଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଏକ ପୋଷ୍ଟ ପରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଡ଼ା ଜବାବ ରଖିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଅଭିଯୋଗ କରିଥିଲେ ଯେ, ରତ୍ନଭଣ୍ଡାରକୁ ନେଇ ବିଜେପି କେବଳ ଅପପ୍ରଚାର କରୁଛି। ରାଜନୈତିକ ଫାଇଦା ପାଇଁ ଗୁଜବ ସୃଷ୍ଟି କରି ଲୋକଙ୍କ ମନରେ ଭୟ ଓ ସନ୍ଦେହ ଭରିବା ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ। ଏହାକୁ ସେ ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି।
ବିଜେଡିର ଏହି ଅଭିଯୋଗ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ବିଜେପି ମିଥ୍ୟାଚାର କରେ ନାହିଁ। ଯଦି ଚାବି ଥିଲା, ତେବେ ପୂର୍ବ ସରକାର ରତ୍ନଭଣ୍ଡାର କାହିଁକି ଖୋଲିଲେ ନାହିଁ? ‘ଡୁପ୍ଲିକେଟ ଚାବି’ କେଉଁଠୁ ଆସିଲା ଏବଂ ତାହା ତାଲା ସହ କାହିଁକି ମେଳ ଖାଇଲା ନାହିଁ, ତାହାର ଉତ୍ତର ବିଜେଡି ପାଖରେ ନାହିଁ। ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସରକାର ଏହି ଅସମାହିତ ପ୍ରଶ୍ନ ପଚାରିବା ଆରମ୍ଭ କରିବେ, ତେବେ ବିଜେଡି ନେତାମାନେ ନିରୁତ୍ତର ହୋଇଯିବେ। ସରକାରଙ୍କ ସୂଚନା ଅନୁସାରେ, ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ୧୯୭୮ ମସିହାର ତାଲିକା ସହ ଏହାକୁ ମେଳ କରାଯାଉଛି। ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଏହି କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଚାବି ହଜିବା ଘଟଣାର ତଦନ୍ତ କମିସନ ରିପୋର୍ଟ ଖୁବଶୀଘ୍ର ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
