ଆଗେଇ ଚାଲିଛି ୩ ରଥର କାମ, ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି
ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା । ଦ୍ରୁତଗତିରେ ଆଗେଇ ଚାଲିଛି ୩ ରଥର କାମ । ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବିନ୍ଧ ଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମରା କାର୍ଯ୍ୟ ଜାରୀ ରହିଛି । ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର ବିନ୍ଧ ନିକଟରେ କଣ୍ଟା ବସିବାପାଇଁ ଅଗର ବିନ୍ଧ ହୋଇ ତୁମ୍ବ ଗୁଡ଼ିକର ବଳକା ଅଂଶ କୁ ବାଦ ଦେବା ପାଇଁ ତୁମ୍ବ ର ଘେରକଟା କାର୍ଯ୍ୟ କରତୀ ମହାରଣା ସେବକ ମାନେ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ଆବଶ୍ୟକ ପ୍ରକାରେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ ଆଜିସୁଦ୍ଧା ତିନି ରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ ଗୋଟି ପନ୍ଦାରି ବଳା ନିର୍ମାଣ ଶେଷ କରି ଉକ୍ତ ପନ୍ଦାରି ବଳା ଗୁଡ଼ିକର ମଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
