ସମ୍ ଲାଇଫ ସାଇନସେସ୍ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, ୦୯/୦୫ : ସ୍ଥାନୀୟ ଗୋଠପାଟଣା ସ୍ଥିତ ସମ୍ ଲାଇଫ ସାଇନସେସ୍ ପ୍ରକଳ୍ପ ପରିସରରେ ସୁମା ରିଅଲ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଥିବା ପ୍ରାୟ ୨୨୦ ଜଣ ପୁରୁଷ ଓ ମହିଳା ଶ୍ରମିକ ସାମିଲ୍ ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସମ୍ ହସ୍ପିଟାଲର ବିଭିନ୍ନ ବିଭାଗରୁ ଆସିଥିବା ୧୭ ଜଣ ବିଶେଷଜ୍ଞ ଡାକ୍ତର ଏହି ଅବସରରେ ଶ୍ରମିକମାନଙ୍କୁ ଚିକିତ୍ସା ସେବା ଓ ପରାମର୍ଶ ପ୍ରଦାନ କରିଥିଲେ । ବିଶେଷ କରି ମେଡିସିନ୍, ଚର୍ମ ରୋଗ, ଚକ୍ଷୁ, ଦନ୍ତ ଚିକିତ୍ସା, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ ଏବଂ ଶଲ୍ୟ ଚିକିତ୍ସା ଭଳି ବିଭାଗର ଡାକ୍ତରମାନେ ରକ୍ତଚାପ ଓ ମଧୁମେହ ସମେତ ଅନ୍ୟାନ୍ୟ ସାଧାରଣ ରୋଗର ଯାଂଚ କରିଥିଲେ । ଶ୍ରମିକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ ଲାଇଫ ସାଇନସେସ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କର୍ମଚାରୀମାନେ ମିଳିତ ଭାବେ ପରିଚାଳନା କରିଥିଲେ ।
