ଜୁଲାଇ ୧ରୁ ଆରମ୍ଭ VB G RAM G ଆକ୍ଟ ମିଶନ, ମିଳିବ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି
ନୂଆଦିଲ୍ଲୀ : ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ । ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି । ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି (VB G RAM G) । ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (MGNREGA) ନାମରେ ଜଣାଶୁଣା ଥିଲା ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲକୁ ଆଇନରେ ପ୍ରଣୟନ କରାଯାଇଥିଲା । VB G RAM G ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ।
ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ପାଇଁ ଗ୍ୟାରେଣ୍ଟି ଥିଲା । ମାତ୍ର ଅନେକ ସମୟରେ ୧୦୦ଦିନର କାମ ମିଳୁ ନ ଥିଲା । କେବଳ ୪୦ରୁ ୫୦ ଦିନର କାମ ପାଇ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ‘ଭିବି ଜି ରାମ ଜି’ ଯୋଜନାରେ କର୍ମନିଯୁକ୍ତି ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । ଏହି ଯୋଜନାରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ । ଏବେ ଗାଁ ଗୁଡ଼ିକର ସମ୍ପୂର୍ଣ୍ଣ ବିକାଶର କାମ ‘ଭିବି ଜି ରାମ ଜି’ ମାଧ୍ୟମରେ ହୋଇପାରିବ ।
ନୂତନ ଯୋଜନାରେ ଗ୍ରାମରେ ସଡ଼କଠାରୁ ଆରମ୍ଭ କରି ପୋଲ, ଜଳସଂରକ୍ଷଣ, ବିଦ୍ୟାଳୟରେ ଶୌଚାଳୟ, ଚାଷୀମାନଙ୍କ ପାଇଁ ଫସଲ ମଣ୍ଡି ଭଳି ଅନେକ ପ୍ରକାର କାର୍ଯ୍ୟ ହୋଇପାରିବ । ଏଥିପାଇଁ ଗାଁର ସରପଂଚଙ୍କଠାରୁ ଆରମ୍ଭ କରି ପୁରା ଗ୍ରାମବାସୀ ମିଳିମିଶି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି କରାଇବାରେ ନୂତନ ଯୋଜନା ସହାୟକ ହୋଇପାରିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।
ଶ୍ରମିକଙ୍କ ସିଧାସଳଖ ବ୍ୟାଙ୍କ କିମ୍ବା ଡାକଘର ସଞ୍ଚୟ ଖାତାକୁ ପାରିଶ୍ରମିକ ମିଳିବ । ଯଦି ପାରିଶ୍ରମିକ ଦେବାରେ ବିଳମ୍ବ ହୁଏ, ତେବେ ଶ୍ରମିକଙ୍କୁ କ୍ଷତିପୂରଣ ମିଳିବ । କାମ ନ ମିଳିଲେ ବେରୋଜଗାରୀ ଭତ୍ତା ମିଳିବ ।
